ମହାନଦୀ ପୋଲ ଉପରୁ ବସ ଖସିବା ଘଟଣା: ୧୨ ଯାତ୍ରୀ ମୃତ, ହେଲପ୍‌ଲାଇନ ନମ୍ବର ଜାରି, ଆହତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

କଟକ: ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ‘ଜଗନ୍ନାଥ’ ମଙ୍ଗଳବାର ସନ୍ଧ୍ୟାରେ କଟକର ଜଗତପୁରଠାରେ ପୋଲ ବାଡ଼ ଡେଇଁ ମହାନଦୀକୁ ଖସିପଡ଼ିଛି। ସୂଚନା ଅନୁସାରେ  ପୋଲ ଉପରେ ବସ ଯାଉଥିବା ବେଳେ ଏକ ମଇଁଷିକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା।  ଅଗ୍ନିଶମ ବିଭାଗ ଦ୍ୱାରା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ଲାଗି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଲେଖାଯିବା ବେଳକୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପୁଲିସ ଡିଜି  ରାଜେନ୍ଦ୍ର ପ୍ରସାଦ ଶର୍ମା ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।ଆହତମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ପିଟାଲରେ ଭେଟିଛନ୍ତି। ସେହିପରି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ବିଧାୟକ ପ୍ରଭାତ ବିଶ୍ୱାଳ, ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଆଦି ଆହତଙ୍କୁ ଭେଟିଛନ୍ତି।

ଇତି ମଧ୍ୟରେ ହେଲପ୍‌ଲାଇନ ନମ୍ବର (୦୬୭୧-୨୩୦୪୦୦୧) ଜାରି କରାଯାଇଛି। ଆବଶ୍ୟକ ପରିମାଣରେ ରକ୍ତ ଗଚ୍ଛିତ ରଖାଯାଇଥିବା ବେଳେ  ଆହତମାନଙ୍କର ମୁଣ୍ଡରେ ଆଘାତ ଲାଗିଥିବାରୁ ସିଟିସ୍କାନର ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାସ୍ଥଳରୁ ଆମ୍ବୁଲାନ୍ସଯୋଗେ ଆହତମାନଙ୍କୁ ଏସସିବି ଅଣାଯାଉଥିବା ବେଳେ କଟକ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦେଖାଯାଇଛି।

ବସ୍‌ଟି ଅନୁଗୁଳ ଜିଲ୍ଲାର ତାଳଚେର ଠାରୁ କଟକ ଆସୁଥିଲା। ଜଗତପୁରରୁ ଶିଖରପୁର ଅଭିମୁଖେ ପ୍ରବେଶ କରୁଥିବା ବେଳେ  ପୋଲ ଉପରେ   ଏକ ମଇଁଷିକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଫଳରେ ପୋଲ ଉପରୁ ମହାନଦୀକୁ ଖସି ପଡ଼ିଥିଲା ବସ।   ପ୍ରାଥମିକ ଖବରରୁ ଜଣାପଡ଼ିଛି ଯେ, ବସ୍‌ଟି ପ୍ରାୟ ୩୦ ଫୁଟ୍‌ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ବସ୍‌ର ଫିଟ୍‌ନେସ୍‌ ଠିକ୍‌ ଥିଲା ଓ ବସ୍‌ରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।

ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ସୁଶାନ୍ତ ସେଠୀ କହିଛନ୍ତି, ବସ୍‌ରେ ୫୪ ଜଣ ଯାତ୍ରୀ ଥିଲେ। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକେ ନିୟୋଜିତ ଅଛନ୍ତି। ମହାନଦୀର ବାଲୁକା ଶଯ୍ୟାରେ ବସ୍‌ଟି ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଛି । ଦୁର୍ଘଟଣାସ୍ଥଳ ନିକଟରେ ପାଣି ଥିବାରୁ ୨ଟି ଡଙ୍ଗା ସାହାଯ୍ୟରେ ଆହତମାନଙ୍କୁ ଆମ୍ବୁଲାନ୍ସକୁ ନିଆଯାଉଛି। ଅନ୍ୟପକ୍ଷରେ ଅନ୍ଧାର ହୋଇ ଯାଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଦେଖାଯାଇଛି।

ସୂଚନା: ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର