ମହାନଦୀ ପୋଲ ଉପରୁ ବସ ଖସିବା ଘଟଣା: ମନେପଡେ ୧୯୯୮ କାର୍ତ୍ତିକ ପୂର୍ଣ୍ଣିମାର ପରଦିନର ଘଟଣା

କଟକ: ଜଗତପୁର ନିକଟରେ ମହାନଦୀ ପୋଲ ଉପରୁ ମଙ୍ଗଳବାର ସନ୍ଧ୍ୟାରେ ବସ ଖସିପଡ଼ିବା ଘଟଣା ୧୯୯୮ ନଭେମ୍ବର ୫ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ଘଟଣାକୁ ମନେ ପକାଇ ଦେଇଛି। ୨୦ ବର୍ଷ ତଳେ ଘଟିଥିବା ବସ୍‌ ଦୁର୍ଘଟଣାରେ ୪୮ ଜଣଙ୍କ ମୃତ୍ୟୁ ଘଟିଥିଲା। ସେଦିନର ଘଟଣାକୁ ନେଇ ସମଗ୍ର ରାଜ୍ୟ ସ୍ତବ୍ଧ ପାଲଟି ଯାଇଥିଲା। ଆଜି ପୁଣି ଥରେ ସେହିଭଳି ଦୁର୍ଘଟଣା ଘଟିବା ପରେ କଟକ ସହର ନୀରବ ପଡ଼ିଯାଇଛି।

ସୂଚନାଯୋଗ୍ୟ ରିପୋର୍ଟ ଲେଖାଯିବା ବେଳକୁ ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚି ଥିବା ବେଳେ, ସେମାନଙ୍କର ପରିଚୟ ମିଳିନାହିଁ। ଅନ୍ୟପକ୍ଷରେ ଓଡ଼ିଶା ପୁଲିସ ପକ୍ଷରୁ ହେଲପ୍‌ଲାଇନ୍‌ ନମ୍ବର ୦୬୭୧-୨୩୦୪୦୦୧ ଜାରି କରାଯାଇଛି। ଡାକ୍ତରଖାନାରେ ଆବଶ୍ୟକ ପରିମାଣରେ ରକ୍ତ ରଖାଯାଇଥିବା ବେଳେ ଅଧିକାଂଶ ଆହତଙ୍କର ମୁଣ୍ଡରେ ଆଘାତ ଲାଗିଥିବାରୁ ସିଟିସ୍କାନର ବ୍ୟବସ୍ଥା କରାଯାଇଛି।  ଦୁର୍ଘଟଣାସ୍ଥଳରୁ ଆମ୍ବୁଲାନ୍ସଯୋଗେ ଆହତମାନଙ୍କୁ ଏସସିବି ଅଣାଯାଉଥିବା ବେଳେ କଟକ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦେଖାଯାଇଛି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ତରଫରୁ ଆହତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାର ସମ୍ମୁଖୀନ ହୋଇ ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା ମିଳିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ବହୁ ସଂଖ୍ୟାରେ ଡାକ୍ତର ଏବଂ ହସ୍ପିଟାଲର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର