ଭିଜିଲାନସ୍‌ ଜାଲରେ କୋଟିପତି ଡିଏଫ୍‌ଓ : ୩.୪୮ କୋଟିରୁ ଅଧିକ ଠାବ ହେଲାଣି, ଆହୁରି ଚାଲିଛି

କଟକ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିଜୟ କେତନ ଆଚାର୍ଯ୍ୟ। ବ୍ରହ୍ମପୁର ଭିଜିଲାନ୍‌ସ ଡିଭିଜନର ୫ ଜଣିଆ ଟିମ୍‌ ଆଜି ସକାଳୁ ସକାଳୁ ଭଂଜନଗର ସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟର ସମେତ ଭୁବନେଶ୍ୱର ସହିଦ ନଗର ଏବଂ ପଟିଆ ପ୍ରଶାନ୍ତି ବିହାର ଅଞ୍ଚଳରେ ଥିବା ଦୁଇଟି ତିନିମହଲା କୋଠା, କଟକ ଜିଲ୍ଲା ମଧୁପାଟଣା କଲ୍ୟାଣନଗର ଅନ୍ଦରପୁର ସ୍ଥିତ ପୈତୃକ ବାସଭବନରେ ଛାନ୍‌ଭିନ୍‌ କରିଛନ୍ତି। ଖବର ମିଳିବା ସୁଦ୍ଧା, ଏସମସ୍ତ ସ୍ଥାନରୁ ଛାନ୍‌ଭିନ୍‌ ବେଳେ ୩କୋଟି ୪୮ ଲକ୍ଷ ୨୬ ଟଙ୍କାର ସ୍ଥାବରଅସ୍ଥାବର ସଂପତ୍ତି ଠାବ କରାଯାଇଛି। କିଛି ବ୍ୟାଙ୍କ ଆଜି ଛୁଟିଥିବାରୁ ଲକର୍‌ର ଛାନ୍‌ଭିନ୍‌ କରାଯାଇପାରି ନଥିବା ସୂଚନା ମିଳିଛି।

୧୯୮୪ ମସିହା ଓଏଫ୍‌ଏସ୍‌ କ୍ୟାଡର୍‌ ଅଫିସର ବିଜୟକେତନ କିଛି ଦିନ ତଳେ ଆଇଏଫଏସ୍‌ ର‍୍ୟାଙ୍କ୍‌କୁ ପଦୋନ୍ନତି ପାଇଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ପରେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟରେ ତାଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଥିଲା। ସର୍ଚ୍ଚ ଓ୍ଵାରେଣ୍ଟ ଆଧାରରେ ଆଜି ଭିଜିଲାନ୍‌ସ ଟିମ୍‌ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢଉ କରିଥିଲେ।

ଛାନ୍‌ଭିନ୍‌ ବେଳେ ବିଜୟକେତନଙ୍କ ପାଖରେ ଭୁବନେଶ୍ୱରର ପଟିଆ, ବଡ଼ରଘୁନାଥପୁର, ଜନଳାରେ ୪ଲକ୍ଷ ୨୦ହଜାର ଟଙ୍କା ଜମିଥିବା ଜଣାପଡ଼ିଛି। ସେହିପରି ପଟିଆରେ ୮୮ ଲକ୍ଷ ଟଙ୍କାର ତିନି ମହଲା କୋଠା, ସହିଦ୍‌ନଗରରେ ୪୭.୫୦ ଲକ୍ଷ ଟଙ୍କାର ତିନି ମହଲା କୋଠା (ସେରିଂ), ଦୁଇ ଟି ଚକିଆ ଗାଡ଼ି (୧ଲକ୍ଷ ୧୦ହଜାର), ୩ଲକ୍ଷ ୫୦ହଜାର ଟଙ୍କାର ସୁନା ଅଳଙ୍କାର, ୩ ଲକ୍ଷ ଟଙ୍କା ମୂଲ୍ୟର ସୁନା ବିସ୍କୁଟ୍‌, ୯ଲକ୍ଷ ୧୧ହଜାର ୯୩୩ ଟଙ୍କାର ଘରକରଣା ସାମଗ୍ରୀ, ବିଭିନ୍ନ ବ୍ୟାଙ୍କ୍‌ରେ ୭୯.୮୬ ଲକ୍ଷ ଟଙ୍କାରୁ ଅଧିକ ଡିପୋଜିଟ୍‌, ଆଇସିଆଇସିଆ ଓ ଏସ୍‌ବିଆଇ ବ୍ୟାଙ୍କ୍‌ରେ ୨୦ଲକ୍ଷରୁ ଅଧିକ ଫିକ୍ସଡ୍‌ ଜମା, ବିଭିନ୍ନ ବୀମା କଂପାନିରେ ୨୨ଲକ୍ଷ ୮୪ ହଜାର ଟଙ୍କା ଜମା, ୧୭ ଲକ୍ଷ ୧୪ହଜାର ମୁଚୁଆଲ୍‌ ଫଣ୍ଡ, ସେୟାର୍‌, ୨୯ଲକ୍ଷ ୨୬ହଜାର ଟଙ୍କାର ପୋଷ୍ଟାଲ୍‌ ଜମା ଏବଂ ୧ଲକ୍ଷ ୮୯ହଜାର ୪୩୫ ଟଙ୍କା ନଗଦ ଠାବ ହୋଇଛି। ଖବର ମିଳିବା ସୁଦ୍ଧା ଛାନ୍‌ଭିନ୍‌ ଜାରି ରହିଛି।

ସମ୍ବନ୍ଧିତ ଖବର