ଗିରଫ ହେଲେ ଢେଙ୍କାନାଳ ଆର୍‌ଟିଓ

କଟକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗତକାଲି ଭିଜିଲାନ୍ସ ଜାଲରେ ଫସିଥିବା ଢେଙ୍କାନାଳ ଆର୍‌ଟିଓ ବସନ୍ତ କୁମାର ବେହେରାଙ୍କୁ ଆଜି ଗିରଫ କରାଯାଇଛି। ଗତକାଲି ୩ କୋଟି ୮୫ ଲକ୍ଷ ୭୫୩୨୬ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରାଯାଇଥିଲାବେଳେ ଆଜି ସେସବୁର ପୁନଃ ମୂଲ୍ୟାୟନ କରାଯାଇଥିଲା। ତେବେ ସେଥିରେ ଆଉ ପାଖାପାଖି ୮୯ଲକ୍ଷ ଟଙ୍କା ହ୍ରାସ ପାଇଥିଲେ ବି ୨.୯୭ କୋଟି ଟଙ୍କା ସମ୍ପତ୍ତିକୁ ଭିଜିଲାନ୍ସ ରେକର୍ଡଭୁକ୍ତ କରିଛି। ଉକ୍ତ ସମ୍ପତ୍ତିର ବିବରଣୀ ମଗାଯାଇଥିଲେ ବି ଅଭିଯୁକ୍ତ ଓ ତାଙ୍କ ପତ୍ନୀ କୌଣସି ସନ୍ତୋଷଜନକ ଜବାବ ଦେଇ ପାରିନଥିଲେ। ଏହାକୁ ଭିତ୍ତିକରି କଟକ ଭିଜିଲାନ୍ସ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନାରୁ ପ୍ରକାଶ ଯେ, ଗତକାଲି ଅଭିଯୁକ୍ତ ଆର୍‌ଟିଓଙ୍କ ଏସ୍‌ସିବି ମେଡିକାଲ୍‌ ପାଖରେ ଥିବା ସରକାରୀ କ୍ୱାର୍ଟର, ରାଣୀହାଟରେ ଥିବା ବିଲ୍ଡିଂ, ଭୁବନେଶ୍ୱର ଡୁମ୍‌ଡୁମାରେ ଥିବା ୪ବିଏଚ୍‌କେ ଫ୍ଲାଟ୍‌, ଯାଜପୁର ବିଂଝାରପୁରଥାନା ଅନ୍ତର୍ଗତ ଅରିକଣାସ୍ଥିତ ସମ୍ପର୍କୀୟଙ୍କ ଘର, ଢେଙ୍କାନାଳ ଆର୍‌ଟିଓ କାର୍ଯ୍ୟାଳୟରେ କଟକ ଭିଜିଲାନ୍ସ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଠାବ ହୋଇଥିବା ସମ୍ପତ୍ତିଗୁଡ଼ିକ ମଧ୍ୟରୁ କଟକ ଓ ଭୁବନେଶ୍ୱରରେ ଥିବା ୧ କୋଟି ୮୬ଲକ୍ଷ ୮୫୮୫୦ ଟଙ୍କାର ୭ଟି ପ୍ଲଟ୍‌, ୬୦ଲକ୍ଷ ଟଙ୍କାର ଡୁମ୍‌ଡୁମାସ୍ଥିତ ୪ବିଏଚ୍‌କେ ଫ୍ଲାଟ୍‌, ୪୭ଲକ୍ଷ ୭୯୪୧ ଟଙ୍କାର ବିଭିନ୍ନ ବ୍ୟାଙ୍କରେ ଜମାଟଙ୍କା, ୬ଲକ୍ଷ ୬୯୮୯୩ ଟଙ୍କାର ଏଲ୍‌ଆଇସି ପଲିସି, ୩୯ଲକ୍ଷ ୮୭୫୪ ଟଙ୍କାର ମର୍ସେଟିଜ୍‌ ବେଞ୍ଜ୍‌ କାର୍‌, ୧୨ଲକ୍ଷ ଟଙ୍କାର ଇନୋଭା କାର୍‌, ୭ଲକ୍ଷ ୫୭୦୦ ଟଙ୍କାର ହୋଣ୍ଡା ବ୍ରିଓ କାର୍‌, ୪ଲକ୍ଷ ୧୧୩୧୨ ଟଙ୍କାର ହ୍ୟୁଣ୍ଡାଇ ଆଇ-୧୦ କାର୍‌, ୮୦୦୩୪ ଟଙ୍କାର ଆକ୍ଟିଭା ସ୍କୁଟର ଓ ଟିଭିଏସ୍‌ ସ୍କୁଟି, ୩ଲକ୍ଷ୯୦ହଜାର ଟଙ୍କାର ସୁନାଗହଣା, ୧୩ଲକ୍ଷ ୯୨୨୮୨ ଟଙ୍କାର ଘରୋଇ ଉପକରଣ ଏବଂ ୩ଲକ୍ଷ ୪୪୭୯୦ ଟଙ୍କାର ନଗଦ ଟଙ୍କା ରେକର୍ଡ କରାଯାଇଥିଲା।

ସମ୍ବନ୍ଧିତ ଖବର