କଟକ: ବିଦାୟ ନେଉଛନ୍ତି ମା’, ରାତି ସାରା ଚାଲିବ ଦେବୀଗଡ଼ାରେ ମୂର୍ତ୍ତି ବିସର୍ଜନ

କଟକ: ଐତିହାସିକ କଟକରେ ମା’ ଦୁର୍ଗାଙ୍କ ଭସାଣୀ ଉତ୍ସବ ଚାଲିଛି। ହାଇକୋର୍ଟ ନିକଟସ୍ଥ ଦେବୀଗଡ଼ା ଠାରେ ମା’ଙ୍କୁ କୃତ୍ରିମ ପୋଖରୀରେ ବିସର୍ଜନ କରାଯାଉଛି। ମା’ଙ୍କ ବିସର୍ଜନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସେହିଭଳି ବ୍ୟସ୍ତ ବହୁଳ ଲିଙ୍କରୋଡ଼ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଓ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ପାଇଁ କମିସନରେଟ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦେଇଛି।

ଭାଇଚାରାର ସହର କଟକ ଭସାଣୀ ମହୋତ୍ସବରେ ସମସ୍ତେ ଏକାଠି ହୋଇଛନ୍ତି। ପାରଂପରିକ ନୃତ୍ୟ ବାଜା ସହିତ ଲାଇଟ, ସାଉଣ୍ଡରେ ମା’ଙ୍କୁ ବିଦାୟ ଦିଆଯାଉଛି। ବିଧାୟକ, ନେତା, କଟକ ମହାନଗର ନିଗମର ପଦାଧିକାରୀ ସାମିଲ ହୋଇଛନ୍ତି।

କଟକ ମହାନଗର ନିଗମ ପକ୍ଷରୁ ଦେବୀଗଡ଼ା ଠାରେ ୨ଟି କୃତ୍ରିମ ପୋଖରୀ ଖୋଳା ଯାଇଛି। ଏଥିରେ ସହରର ବିଭିନ୍ନ ସ୍ଥାନରେ ପୂଜା ପାଇଥିବା ୧୬୦ଟି ମୂର୍ତ୍ତି ବିସର୍ଜନ ହେବ। ଆଜି ପୂର୍ବାହ୍ନ ୧୧ଟାରୁ ବିସର୍ଜନ ପର୍ବ ଆରମ୍ଭ ହୋଇଛି।

ରିପୋର୍ଟ ଲେଖାଯିବା ବେଳକୁ ରାତି ୮ଟା ସୁଦ୍ଧା ପ୍ରାୟ ୩୦ଟି ମୂର୍ତ୍ତି ବିସର୍ଜନ ସରିଥିବା ବେଳେ ଏହା ରାତି ସାରା ଜାରି ରହିବ ବୋଲି ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର