ଝିଅକୁ ବାପାର ଦୁଷ୍କର୍ମ, ଏଡିସିପିଙ୍କୁ ଅଭିଯୋଗ କଲେ ମାଆ

କଟକ/ଚୌଦ୍ୱାର-ଗୁରୁଡ଼ିଝାଟିଆ: ଜନ୍ମକଲା ଝିଅକୁ ଦୁର୍ଷ୍କମ କଲା ବାପା। ଆଜି ଏଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣି ନାବାଳିକା ଝିଅର ମା’ ଅତିରିକ୍ତ ଡିସିପିଙ୍କ ପାଖେ ଫେରାଦ ହୋଇଛନ୍ତି। ପୁଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲେ ହେଁ, ଏ ଘଟଣା ଡେରାଡୁନ୍‌ରେ ଘଟିଥିବାରୁ ଏବଂ ରାଇଗଡ଼ ଥାନାରେ ପୂର୍ବରୁ ମାମଲା ରୁଜୁ କରାଯାଇଥିବାରୁ ଏଠାରେ ଏତଲା ରୁଜୁ ହେଇନାହିଁ। ସେପଟେ କିନ୍ତୁ ଅଭିଯୁକ୍ତ ବାପା ଫେରାର୍‌ ହେଇଯାଇଛି। ତାକୁ ଧରିବା ପାଇଁ ରାଇଗଡ଼ ପୁଲିସ ସହିତ ଯୋଗଯୋଗ କରାଯାଇଥିବା ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି।
ପୀଡ଼ିତା ମା’ଙ୍କ ଅଭିଯୋଗ ଅନୁଯାୟୀ, ଚୌଦ୍ୱାର ଅଂଚଳରେ ତାଙ୍କ ଶାଶୂ ଘର ହେଇଥିବା ବେଳେ ସେ ଗଲା ୫ବର୍ଷ ହେବ ଉତ୍ତରାଖଣ୍ଡର ଡେରାଡୁନରେ ସ୍ୱାମୀ ଓ ଏକମାତ୍ର ଝିଅ(୯) ସହିତ ରହୁଛନ୍ତି। ସ୍ୱାମୀ ସେଠାରେ ଏକ କଂପାନିରେ ଚାକିରି କରନ୍ତି। କିନ୍ତୁ ଗତବର୍ଷ ଅଗଷ୍ଟ ମାସରେ ଅଭିଯୁକ୍ତ ବାପା ଝିଅକୁ ସ୍କୁଲ ନେବା ବେଳେ ବାଟରେ ସାଙ୍ଗ ଘରେ ଦୁଷ୍କର୍ମ କରିଥିଲା। ବାରମ୍ବାର ସାଂଗ ସହିତ ମିଶି ସ୍ୱାମୀ ଝିଅ ସହ ଏଭଳି କୁକର୍ମ କରୁଥିଲେ ଏବଂ ମା’ କିମ୍ବା ଆଉ କାହାକୁ ଏ ବିଷୟରେ କହିଲେ ଜୀବନରୁ ମାରିଦେବାରୁ ଝିଅକୁ ଧମକ ଦେଇଥିଲେ ବୋଲି ପୀଡ଼ିତାଙ୍କ ମା’ ଅଭିଯୋଗରେ ଦର୍ଶାଇଛନ୍ତି। ଡେରାଡୁନ୍‌ର ରାଇଗଡ଼ ଥାନାରେ ପ୍ରଥମେ ସେ ସ୍ୱାମୀ ଓ ତାଙ୍କ ସାଂଗଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ।। ମାତ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରିବାରୁ ସ୍ୱାମୀ ଓ ତାଙ୍କ ସାଂଗ ଫେରାର୍‌ ହେଇଯାଇଥିଲେ ବୋଲି ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ଶାଶୂ ଘରକୁ ଆସି ଏ ବିଷୟରେ କହିବାରୁ ସେମାନେ ମୋ’ତେ ପାଗିଳି ହେଇଯାଇଥିବା କହିଥିଲେ। ମୁଣ୍ଡ ଖରାପ ଦର୍ଶାଇ କଟକ ବଡ଼ ମେଡିକାଲ୍‌ ମାନସିକ ରୋଗ ବିଭାଗରେ ଚିକିତ୍ସା କରାଇଥିଲେ। କିନ୍ତୁ ମେଡିକାଲ୍‌ରୁ ବାହାରିବା ପରେ ଝିଅକୁ ଧରି ଅଭିଯୋଗ କରିବା ପାଇଁ ଚୌଦ୍ୱାର ଥାନାକୁ ଯାଇଥିଲି। ଆଜି ଏ ସଂପର୍କରେ ପୀଡ଼ିତାଙ୍କ ମା’ ଉଦ୍ଧାର ସଂଗଠନର ସଦସ୍ୟଙ୍କ ସହିତ ଅତିରିକ୍ତ ଡିସିପିଙ୍କ ପାଖେ ଅଭିଯୋଗ କରିବା ସହ ଶିଶୁ ମଂଗଳ କମିଟି(ସିଡବ୍ଲ୍ୟୁସି)ର ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି, ଡେରାଡୁନ୍‌ର ଏ ଘଟଣା ଘଟିଛି। ରାଇଗଡ଼ ଥାନାରେ ଏ ସଂକ୍ରାନ୍ତରେ ମଧ୍ୟ ଅଭିଯୋଗ ହୋଇଛି। ଯେହେତୁ ସେଠାରେ ଏକ ମାମଲା ରହିଛି, ତେଣୁ ଦ୍ୱିତୀୟ ମାମଲା ଏଠାରେ ରୁଜୁ କରିବାର ଆବଶ୍ୟକତା ନାହିଁ। କିନ୍ତୁ ଅଭିଯୁକ୍ତ ଜଣକ ନିଜ ଘର ଚୌଦ୍ୱାରରେ କିଛି ଦିନ ହେବ ରହୁଥିଲା। ମାତ୍ର ୫ଦିନ ହେବ ସେ ଦିଲ୍ଲୀ ପଳାଇ ଯାଇଛି। ଏଠାରେ ଧରାପଡ଼ିଲେ ତାକୁ ରାଇଗଡ଼ ପୁଲିସ ଜିମା ଦିଆଯିବ। ତା’ଛଡ଼ା ରାଇଗଡ଼ ପୁଲିସ ସହିତ ଆଜି ଘଟଣା ସଂପର୍କରେ ଆଲୋଚନା ହେଇଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର