‘ନିଷ୍କଳଙ୍କ, ଯୁବଗୋଷ୍ଠୀ ଏବଂ ମହିଳାଙ୍କୁ ସୁଯୋଗ ମିଳିବ’

କଟକ : ନବୀନ ପଟ୍ଟନାୟକଙ୍କ ୧୮ ବର୍ଷ ଶାସନ କାଳରେ ଓଡିଶା ଗରିବରୁ ଗରିବତମ ରାଜ୍ୟରେ ପରିଣତ ହୋଇଛି। ୧୫ବର୍ଷ ତଳେ ଓଡିଶା ତଳେ ଆଉ ଛଅଟି ରାଜ୍ୟ ତାଲିକାରେ ଥିବା ବେଳେ ଏବେ ଓଡିଶା ସବୁଠାରୁ ଗରିବ ରାଜ୍ୟ ବୋଲି ବିଚେଚିତ ହେଉଛି। ରାଜ୍ୟରେ ଦୁର୍ନୀତି ଏବେ ନୀତିରେ ପରିଣତ ହୋଇଛି। ସବୁ କ୍ଷେତ୍ରରେ ସରକାର ଆଜି ବିଫଳ। ଆପଣମାନେ ଚାହିଁଲେ ପରିବର୍ତ୍ତନ ହେବ। ଆଉ କଂଗ୍ରେସ ଏଥିପାଇଁ ନିଷ୍କଳଙ୍କ ବ୍ୟକ୍ତିତ୍ୱ, ଯୁବଗୋଷ୍ଠୀ, ମହିଳାଙ୍କୁ ଅଧିକ ପ୍ରାଧାନ୍ୟ ଦେବ। କଟକ ଗସ୍ତରେ ଆସି ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଟକ ନଗର କଂଗ୍ରେସ ପକ୍ଷରୁ ଗୌରୀଶଙ୍କର ପାର୍କଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୧୮ ବର୍ଷ ଶାସନ କାଳରେ ବିଜେଡି ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଛି।

ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ପ୍ରାସଦ ସିଂ କହିଥିଲେ ଯେ କେନ୍ଦ୍ରର ବିଜେପି ସରକାର ପ୍ରତିଦିନ ନୂଆ ନୂଆ ସ୍ୱପ୍ନ ଦେଖାଉଛନ୍ତି। କଳାଧନ ପ୍ରସଙ୍ଗରେ ବିଜେପିର ଆଓ୍ଵାଜ ଫମ୍ପା ହୋଇଥିବା ବେଳେ ନୀରବ ମୋଦି, ବିଜୟ ମାଲ୍ୟା, ଲଳିତ ମୋଦିଙ୍କ ପରି ଲୁଟେରାମାନେ ଗରିବଙ୍କ ପଇସା ଲୁଟି ବିଦେଶକୁ ଚାଲି ଯାଇଛନ୍ତି। ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଛତିଶଗଡର ପକ୍ଷ ନେଇଛନ୍ତି ବୋଲି ଶ୍ରୀ ସିଂ କହିଥିଲେ। ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ବିଜେଡି ଶାସନରେ ଚିଟ୍‌ଫଣ୍ଡ ଦୁର୍ନୀତି, ମାଫିଅରାଜ ବଢିଛି ବୋଲି କହିଥିଲେ।

କଟକ ନଗର କଂଗ୍ରେସ କମିଟି ସଭାପତି ଇଂଜିନିୟର ମହମ୍ମଦ ମୋକିମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଏଆଇସିସି ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ରୁଦ୍ର ରାଜୁ, ଅନ୍ୟତମ ସହ ପ୍ରଭାରୀ ଆଦିତ୍ୟ ଶର୍ମା, ବରିଷ୍ଠ ନେତା ଅନନ୍ତ ସେଠୀ, ସୁରେଶ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ଆଇନଜୀବୀ ଧରଣୀଧର ନାୟକ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ, କର୍ପୋରେଟର ଗିରିବାଳା ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର