ବେଆଇନ୍‌ ବନ୍ଧୁକ ମାମଲା : ସୁଶାନ୍ତ ଧଳସାମନ୍ତକୁ ୫ ବର୍ଷ ଜେଲ୍‌

କଟକ : ବେଆଇନ୍‌ ବନ୍ଧୁକ ରଖିବା ମାମଲାରେ ଗ୍ୟାଙ୍ଗଷ୍ଟର୍‌ ସୁଶାନ୍ତ ଧଳସାମନ୍ତ ଦୋଷୀ ସାବ୍ୟସ୍ତ ହୋଇଛି। କଟକ ସିଜେଏମ୍‌ ତଥା ସହକାରୀ ଦୌରା ଜଜ୍‌ ବନ୍ଦନା କର ସୁଶାନ୍ତକୁ ୫ ବର୍ଷ ଜେଲ ଓ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଧଳସାମନ୍ତଙ୍କ ବିରୋଧରେ ବହୁ ଅପରାଧିକ ମାମଲା ଥିବା ବେଳେ ଅଦାଲତରେ କିନ୍ତୁ ସେମାନଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ କରିବାରେ ଆଜି ଯାଏ ସଫଳତା ମିଳି ପାରୁ ନଥିଲା। ନିମ୍ନ ଅଦାଲତରେ ସୁଶାନ୍ତ ଦଣ୍ଡିତ ହେବା ପରେ ଜେଲରୁ ସହଜରେ ମୁକୁଳିବା ଆଶା ମଉଳି ଯାଇଛି।

୧୯୯୯ରେ ବିଡାନାସୀ ଅଞ୍ଚଳରେ ଘଟିଥିବା ଦାଦାବଟି ଆଦାୟ ଓ ବନ୍ଧୁକ ଦେଖାଇ ଭୟଭୀତ କରିବା ଭଳି ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ସୁଶାନ୍ତ ଧଳସାମନ୍ତକୁ ଆର୍ମସ୍‌ ଆକ୍ଟର ଧାରା ୨୫(୧)(କ) ଓ ୨୭(୧)ରେ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୁଶାନ୍ତକୁ ଧାରା ୨୫(୧)(କ)ରେ ୩ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଜରିମାନା ଓ ଧାରା ୨୭(୧)ରେ ୫ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଅଦାଲତ ପ୍ରଦାନ କରିଛନ୍ତି। ଜରିମାନା ନ ଦେଲେ ସୁଶାନ୍ତକୁ ଅଧିକ ୬ ମାସ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲକ୍‌ ପ୍ରସିକ୍ୟୁଟର ତାପସ ବାରିକ, ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିବା ବେଳେ ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ସହାୟତା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ସିଡିଏ ସେକ୍ଟର ୬ ଅଞ୍ଚଳରେ ସୁଶାନ୍ତ ଦୋକାନୀମାନଙ୍କ ଠାରୁ ଦାଦା ବଟି ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ୧୯୯୯, ଅଗଷ୍ଟ ୧୦ରେ ସୁଶାନ୍ତକୁ ଘଟଣାସ୍ଥଳରେ ପୁଲିସ ଠାବ କରିଥିବା ବେଳେ ସେ ପାଖରେ ରଖିଥିବା ରିଭଲଭର ଦେଖାଇ ଭୟଭୀତ କରିବାକୁ ଉଦ୍ୟମ କରିଥିଲା। ସୁଶାନ୍ତ ନିକଟରୁ ରିଭଲଭର ଓ ଗୁଳି ପୁଲିସ ଜବତ କରିଥିଲା। ଏ ନେଇ ବିଡାନାସୀ ଥାନାର ତତ୍କାଳୀନ ଏସଆଇ ନବ କିଶୋର ଫତେସିଂ ଏତଲା ରୁଜୁ କରିଥିଲେ। ପୁଲିସ ଆଇପିସିର ଦଫା ୩୦୭, ୩୮୫, ଆର୍ମସ୍‌ ଆକ୍ଟର ଧାରା ୨୫ ଓ ୨୭ରେ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ଜାମିନରେ ଥିବା ସୁଶାନ୍ତ ଫେରାର ହୋଇଯିବାରୁ ମାମଲାର ଶୁଣାଣିରେ ଅଗ୍ରଗତି ହୋଇ ପାରି ନଥିଲା। ସୁଶାନ୍ତ ଗିରଫ ହେବା ପରେ ଏହି ମାମଲାର ପୁଣି ଶୁଣାଣି ଆରମ୍ଭ ହୋଇଥିଲା। ସରକାରଙ୍କ ପକ୍ଷରୁ ୧୧ ଜଣ ଓ ସୁଶାନ୍ତ ପକ୍ଷରୁ ୨ ଜଣ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ତଦନ୍ତକାରୀ ଅଧିକାରୀ, ଏତଲାକାରୀ ଓ ଘଟଣା ଦିନ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀଙ୍କ ସହିତ ସାଧାରଣ ଲୋକ ଅଦାଲତରେ ହାଜର ହୋଇ ସାକ୍ଷୀ ଦେଇଥିଲେ। ଜବତ ବନ୍ଧୁକ ଯାଞ୍ଚ ରିପୋର୍ଟ ରସୁଲଗଡସ୍ଥିତ ରାଜ୍ୟ ଫରେନ୍ସିକ୍‌ ଲାବୋରେଟୋରିରୁ ସଂଗ୍ରହ କରି ତଦନ୍ତକାରୀ ଅଧିକାରୀ ଅଦାଲତରେ ଉପସ୍ଥାପନ କରିଥିଲେ। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସୁଶାନ୍ତକୁ ଅଦାଲତ ଏହି ମାମଲାରେ ଆର୍ମସ୍‌ ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର