ଗଞ୍ଜାମ ଏନ୍‌ଏସି ନିର୍ବାହୀ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ

କଟକ : ଗଞ୍ଜାମ ଏନ୍‌ଏସିର ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରତିହାରୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ ଗିରଫ କରିଛି। ଉକ୍ତ ଏନ୍‌ଏସି ଅଧିନରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବିଶ୍ୱରଂଜନ ଜେନାଙ୍କଠୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ। ଶ୍ରୀଜେନାଙ୍କ ୫ମାସର ଏରିଅର୍‌ ଦରମା ଦେବା ପାଇଁ ନିର୍ବାହୀ ଅଧିକାରୀ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ ହେବା ସହ ଦୁର୍ନୀତି ନିବାରଣ ଆଇନ୍‌ ଅଧିନରେ ରେଡ୍‌ ହ୍ୟାଣ୍ଡରେ ଧରାହେବା ସହ ଅଭିଯୁକ୍ତ ନିର୍ବାହୀ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ଜେନା ଗଞ୍ଜାମ ଏନ୍‌ଏସିରେ ଗତବର୍ଷ ଅକ୍ଟୋବର ୧୨ ତାରିଖରେ ଯୋଗଦେଇଥିଲେ। ହେଲେ ଏଠାରେ କାର୍ଯ୍ୟରେ ଯୋଗଦେବା ପରଠୁ ସେ ଦରମା ପାଇପାରୁନଥିଲେ। ୫ମାସ ମଧ୍ୟରେ ତାଙ୍କର ଦରମା ୩୬୦୪୦ ଟଙ୍କା ହୋଇଥିଲା। ପୂର୍ବରୁ ଶ୍ରୀ ଜେନା ଅଗ୍ରୀମ ଆକାରରେ ୧୮୬୦୦ ଟଙ୍କା ଉଠାଇଥିଲେ। ହେଲେ ମୂଳ ଦରମା ପାଇବା ପାଇଁ ନିର୍ବାହୀ ଅଧିକାରୀଙ୍କୁ ଅନେକଥର ଗୁହାରି ହୋଇଥିଲେ ବି ସେ ଶୁଣୁନଥିଲେ। ପରେ ଛତ୍ରପୁର ରେଳ ଷ୍ଟେସନ୍‌ଠାରେ ୫ହଜାର ଟଙ୍କା ଲାଞ୍ଚ ଦେବାକୁ ନିର୍ବାହୀ ଅଧିକାରୀ ଶ୍ରୀ ଜେନାଙ୍କୁ କହିଥିଲେ। ଫଳରେ ଏଥିରେ ଅତିଷ୍ଠ ହୋଇ ଶ୍ରୀ ଜେନା ବ୍ରହ୍ମପୁର ଡିଭିଜନ୍‌ ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ନ ୫ଟା ୪୦ ମିନିଟ୍‌ ବେଳକୁ ଛତ୍ରପୁର ରେଳ ଷ୍ଟେସନ୍‌ ସମ୍ମୁଖରୁ ରେଡ୍‌ ହ୍ୟାଣ୍ଡରେ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ଡାହାଣ ପକେଟ ଭିତରୁ ଲାଞ୍ଚ ବାବଦକୁ ନିଆଯାଇଥିବା ୫ହଜାର ଟଙ୍କା ଜବତ କରାଯାଇଛି। ପରେ ତାଙ୍କର ଅଫିସ୍‌ ସହିତ ପୁରୀସ୍ଥିତ ତାଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ସର୍ଚ୍ଚ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର