ହାଇକୋର୍ଟରେ ଅଚ୍ୟୁତ ସାମନ୍ତଙ୍କ ‘ମିଥ୍ୟା’ ସତ୍ୟପାଠ ମାମଲା : ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ
କଟକ : ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କ ମିଥ୍ୟା ସତ୍ୟପାଠ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ଏ ମାମଲାର ଶୁଣାଣି ହାଇକୋର୍ଟଙ୍କ ପରିସରଭୁକ୍ତ ନୁହେଁ ବୋଲି ଦର୍ଶାଇବା ସହ ମୁଖ୍ୟ ନିର୍ବାଚନ ଆୟୋଗ ଏ କ୍ଷେତ୍ରରେ ଆବଶ୍ୟକ ତଦନ୍ତ କରି ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମିଥ୍ୟା ସତ୍ୟପାଠ ସମ୍ପର୍କରେ ଆବେଦନକାରୀ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିବାରୁ ଏ ପ୍ରସଙ୍ଗରେ ଆୟୋଗ ତ୍ୱରିତ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଗତ ରାଜ୍ୟସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସାମାଜିକ କର୍ମୀ ସୁବାସ ମହାପାତ୍ର ନାମାଙ୍କନ ଦାଖଲ କରିଥିଲେ। ମାତ୍ର ତାଙ୍କର ପ୍ରାର୍ଥୀପତ୍ର ଖାରଜ ହୋଇଯାଇଥିଲା। ତେବେ ନିର୍ବାଚନ ଅଧିକାରୀଙ୍କୁ ଅଚ୍ୟୁତ ସାମନ୍ତ ଦେଇଥିବା ସତ୍ୟପାଠରେ ବହୁ ତଥ୍ୟ ଲୁଚାଇଥିବା ଶ୍ରୀ ମହାପାତ୍ର ରିଟର୍ଣ୍ଣିଂ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ଅବଗତ କରାଇଥିଲେ। ଶ୍ରୀ ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ଶ୍ରୀ ସାମନ୍ତଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି। ତାଙ୍କର ଦୁଇଟି ଭୋଟର ପରିଚୟପତ୍ର ଏବଂ ପ୍ୟାନକାର୍ଡ ରହିଛି। ହେଲେ ଏ କ୍ଷେତ୍ରରେ ରିଟର୍ଣ୍ଣିଂ ଅଫିସର ପକ୍ଷପାତ କରୁଥିବା ଦର୍ଶାଇ ଶ୍ରୀ ମହାପାତ୍ର ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଶ୍ରୀ ସାମନ୍ତଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଶ୍ରୀ ମହାପାତ୍ର ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କ ଇଜିଲାସରେ ମାମଲାର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାସ ମାମଲା ପରିଚାଳନା କରୁଥିଲେ।