ବିଧାୟକ ନବ କିଶୋର ଦାସ ଆଶ୍ୱସ୍ତ

ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ମାମଲା

କଟକ : କଂଗ୍ରେସ ବିଧାୟକ ନବ କିଶୋର ଦାସଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ବିଜେଡିର ପରାଜିତ ପ୍ରାର୍ଥୀ କିଶୋର କୁମାର ମହାନ୍ତିଙ୍କ ପକ୍ଷରୁ ଦାୟର ନିର୍ବାଚନୀ ମୋକଦ୍ଦମା ହାଇକୋର୍ଟରେ ଖାରଜ ହୋଇଛି। ଶ୍ରୀ ମହାନ୍ତିଙ୍କ ମାମଲା ବିଚାର ଯୋଗ୍ୟ ନୁହେଁ ଦର୍ଶାଇ ବିଧାୟକ ଶ୍ରୀ ଦାସଙ୍କ ପକ୍ଷରୁ ସିପିସିର ଅର୍ଡର-୬ ରୁଲ୍‌-୧୬ ଓ ଅର୍ଡର-୭ ରୁଲ୍‌-୧୧ ଅନୁଯାୟୀ ଦାଖଲ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ମୂଳ ନିର୍ବାଚନୀ ମୋକଦ୍ଦମା ଖାରଜ କରିଛନ୍ତି। ଜଷ୍ଟିସ ଏସ୍‌.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ଶ୍ରୀ ଦାସଙ୍କ ନିର୍ବାଚନ କାଏମ ରହିଥିବା ବେଳେ ଶ୍ରୀ ମହାନ୍ତିଙ୍କୁ ନିରାଶ ହେବାକୁ ପଡିଛି। ଶ୍ରୀ ଦାସଙ୍କ ପକ୍ଷରୁ ଆଇନଜୀବୀ ଉପେନ୍ଦ୍ର କୁମାର ସାମଲ ଓ ଅନ୍ୟତମ ପ୍ରତିପକ୍ଷ ବିଜେପିର ପରାଜିତ ପ୍ରାର୍ଥୀ ଆନନ୍ଦ ପ୍ରଧାନଙ୍କ ତରଫରୁ ଆଇନଜୀବୀ ଗୋପାଳ ଅଗ୍ରଓ୍ଵାଲ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪ରେ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ପାଇଁ ଅନୁଷ୍ଠିତ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ପରାଜିତ ବିଜେଡ଼ି ପ୍ରାର୍ଥୀ ଶ୍ରୀ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶ୍ରୀ ମହାନ୍ତିଙ୍କ ପକ୍ଷରୁ ଦାୟର ନିର୍ବାଚନୀ ମୋକଦ୍ଦମାରେ ଦର୍ଶାଯାଇଥିଲା ଯେ ଚୂଡାନ୍ତ ଭୋଟର ତାଲିକାରେ ସ୍ଥାନ ପାଇ ନଥିବା ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଗ୍ରହଣ କରାଯିବା ଉଚିତ ନ ଥିଲା। କିନ୍ତୁ ତାଙ୍କ ନାମାଙ୍କନ ଅଗ୍ରାହ୍ୟ କରାଯାଇ ନଥିଲା ଓ ସେ ନିର୍ବାଚନରେ ୨୧ ହଜାର ୬୦ ଖଣ୍ଡ ଭୋଟ ପାଇଥିଲେ। ଯଦି ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଅଗ୍ରାହ୍ୟ ହୋଇଥାନ୍ତା ତେବେ ଏହି ୨୧ ହଜାର ଭୋଟ ସେ ପାଇଥାନ୍ତେ ବୋଲି ଆବେଦନକାରୀ ଦର୍ଶାଇଥିଲେ। କିନ୍ତୁ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତି ଆନୁମାନିକ ଓ ଗ୍ରହଣ ଯୋଗ୍ୟ ନୁହେଁ ଦର୍ଶାଇ ନିର୍ବାଚନୀ ମୋକଦ୍ଦମାକୁ ବିରୋଧ କରି ଶ୍ରୀ ଦାସ ମିସ୍‌ କେସ୍‌ ଦାୟର କରିଥିଲେ।

ସମ୍ବନ୍ଧିତ ଖବର