ଋଣ ଜାଲିଆତି ମାମଲାରେ ଦୁଇ ଜଣଙ୍କ ଜାମିନ ଖାରଜ

କଟକ: ଅର୍ଥ ଲଗାଣକାରୀ ସଂସ୍ଥା ଆଇଏଫଏମଆର୍‌ ରୁରାଲ ଚାନେଲ୍ସ ଆଣ୍ଡ୍‌ ସର୍ଭିସେସ୍‌ର ତତ୍କାଳୀନ ସହକାରୀ ଆଞ୍ଚଳିକ ପରିଚାଳକ ସୁକାନ୍ତ କୁମାର ସାହୁ ଓ େଓ୍ଵଲ୍ଥ ମ୍ୟାନେଜର ଶିବ ପ୍ରସାଦ ପୁରୋହିତଙ୍କ ଜାମିନ ହାଇକୋର୍ଟ ଖାରଜ କରିଛନ୍ତି। ଋଣ ଜାଲିଆତିକୁ ନେଇ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନାରେ ୨୦୧୭, ମାର୍ଚ୍ଚ ୧ରେ ଦାୟର ମାମଲାରେ ଜାମିନ ପାଇଁ ଉଭୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟ ଜାମିନ ଆବେଦନର ଏକତ୍ର ଶୁଣାଣି କରି ଖାରଜ କରିଛନ୍ତି। ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଭୟଙ୍କ ଜାମିନ ଖାରଜ କରାଯାଇଛି ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ଏହି ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ୱୀକୃତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳର ଗରିବ ଶ୍ରେଣୀର ଲୋକଙ୍କୁ ଋଣ ପ୍ରଦାନ କରିଥାଏ। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୨୩ ହଜାର ଗ୍ରାହକ ଓ ୩୩ଟି ଶାଖା କାର୍ଯ୍ୟାଳୟ ଏହି ସଂସ୍ଥାର ରହିଛି। ନିୟମ ଉଲ୍ଲଂଘନ କରି ଜାଲ କାଗଜପତ୍ର ଜରିଆରେ ଅଢେଇ ଶହରୁ ଅଧିକ ବ୍ୟକ୍ତିଙ୍କୁ ସଂସ୍ଥାରୁ ଋଣ କରାଇବାରେ କେତେକ ବ୍ୟକ୍ତି ସଫଳ ହୋଇଥିଲେ। ଫଳରେ ସଂସ୍ଥାର ଦେଢ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ସଂସ୍ଥାର ପ୍ରତିନିଧି ଅଭିଯୋଗ କରିବା ପରେ ଗୋପାଳପୁର ଥାନାରେ ଏତଲା ରୁଜୁ ହୋଇଥିଲା। ପୁଲିସ ଅନ୍ୟ କେତେକ ଅଭିଯୁକ୍ତଙ୍କ ସହିତ ଏହି ଦୁଇ ଆବେଦନକାରୀଙ୍କୁ ଗିରଫ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଉଭୟ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର