କେଉଁ ଦଳରେ ମିଶିବେ ନିର୍ଣ୍ଣୟ କରିବେ ସମର୍ଥକ

ମାହାଙ୍ଗାରେ ବୁଲୁ ପ୍ରଧାନଙ୍କ ଭୋଟ ରାଜନୀତି

କଟକ/ମାହାଙ୍ଗା : ମାହାଙ୍ଗା ବିକାଶ ପରିଷଦର ମୁଖ୍ୟ ଶାରଦା ପ୍ରଧାନ (ବୁଲୁ) ନିଜ ସମର୍ଥକଙ୍କ ଭୋଟ ଲୋଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେ ବିଜେପି, ବିଜେଡି, କଂଗ୍ରେସ ଦଳକୁ ଯିବେ ନା ସ୍ୱାଧୀନ ଭାବେ ରାଜନୀତି କରିବେ, ତାହାର ନିଷ୍ପତ୍ତି ତାଙ୍କର ସମର୍ଥକମାନେ ବାଲଟ୍‌ ପେପର ଜରିଆରେ ନେବେ ବୋଲି ବୁଲୁ ଘୋଷଣା କରିଛନ୍ତି। ଏଥିପାଇଁ ଡିସେମ୍ବର ୨୫ ତାରିଖରେ ସେ ନିଜ ଗାଁ ପୋଡ଼ାମରାଇ ସ୍ଥିତ ଘରେ ବୁଥ୍‌, ବାଲଟ୍‌ ବକ୍ସ ଆଉ ବାଲଟ୍‌ ପେପର ତିଆରି କରି ସମର୍ଥକଙ୍କ ମତ ଲୋଡିବାକୁ ଯାଉଛନ୍ତି। ମାହାଙ୍ଗା ନିର୍ବାଚନମଣ୍ଡଳୀର ୨ଲକ୍ଷ ୩୯ ହଜାର ଭୋଟରଙ୍କ ମଧ୍ୟରୁ ମାତ୍ର ୪ ହଜାର ଏଥିରେ ଭୋଟ୍‌ ଦେବେ। ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୯୦୫ଟି ଓ୍ଵାର୍ଡରୁ ବାଛିବାଛି ୪ ହଜାର ସମର୍ଥକଙ୍କୁ ଆଣି ଏଭଳି ଭୋଟ କରିବାର ଉଦ୍ଦେଶ୍ୟ ଆଉ ବାସ୍ତବତାକୁ ନେଇ ଗୋଟିଏ ପଟେ ପ୍ରଶ୍ନ ଉଠୁଥିବା ବେଳେ ବୁଲୁ କିନ୍ତୁ ନିଜ ସମର୍ଥକଙ୍କ ମତ ଅନୁସାରେ ରାଜନୈତିକ ଭବିଷ୍ୟତ ସ୍ଥିର କରିବେ ବୋଲି ଘୋଷଣା କରିଛନ୍ତି।

ରାଜ୍ୟର ସ୍ୱାସ୍ଥ୍ୟ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନମଣ୍ଡଳୀରେ ବୁଲୁଙ୍କର ଏଭଳି ରାଜନୈତିକ ହଟଚମଟ ଅବଶ୍ୟ ଚର୍ଚ୍ଚାର ଖୋରାକ ଯୋଗାଇଛି। ୨୦୧୪ରେ ଶ୍ରୀ ଜେନାଙ୍କ ବିରୋଧରେ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ବୁଲୁ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ବୁଲୁ କହିବା ଅନୁଯାୟୀ ମାହାଙ୍ଗା ବ୍ଲକ୍‌ର ୫୨୦ ବୁଥ୍‌ ଓ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ୩୮୫ଟି ବୁଥ୍‌ରୁ ହାରାହାରି ଭାବେ ୨/୩ ଜଣ ସମର୍ଥକ ଆସି ସେଦିନ ଭୋଟ୍‌ ଦେବେ। ସେହି ଦିନ ଭୋଟ ଗଣତି କରାଯିବ। ଅଧିକ ସମର୍ଥକ ଯେଉଁ ମତ ଦେବେ, ସେହି ଅନୁଯାୟୀ ସେ ପଦକ୍ଷେପ ନେବେ। ଭୋଟର ଫଳାଫଳ ଅନୁଯାୟୀ ଆସନ୍ତା ଜାନୁଆରି ମାସରେ ସେ କୌଣସି ରାଜନୈତିକ ଦଳରେ ମିଶିବେ। ଅନ୍ୟପଟେ ବୁଲୁ ବିଜେପିରେ ସାମିଲ ହେବାକୁ ଯାଉଥିବା ପ୍ରସଙ୍ଗ ଦୀର୍ଘ ଦିନରୁ ଆଲୋଚନା ହୋଇଆସୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟତର ହୋଇ ସେ ଗଲା କିଛି ମାସ ହେଲା ଅନେକ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଥିବା ମଧ୍ୟ କୁହାଯାଉଛି। ଏଭଳି ସ୍ଥିତିରେ ବୁଲୁ ନିଜ ସମର୍ଥକଙ୍କ ମତ ଆଧାରରେ ଅନ୍ୟ କେଉଁ ଦଳକୁ ଯିବେ ନା ଏଭଳି ଏକ ଭୋଟ ହଟଚମଟ କରି ନିଜେ ବିଜେପିରେ ସାମିଲ ହେବା ଯୋଜନାକୁ ମଜବୁତ କରିବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର