କଟକରେ ଗୁଳି ଫୁଟାଇ ୭ ଲକ୍ଷ ଲୁଟ୍‌

କଟକ : ପୁରୀଘାଟ ନନ୍ଦୀ ସାହି ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ହୋଇଛି । ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଫାଙ୍କା ଗୁଳି ଚଳାଇ ଧମକ ଦେବା ସହ ଜଣେ ବ୍ୟସାୟୀଙ୍କ ନିକଟରୁ ସ୍କୁଟି ସହିତ ୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ରାତିରେ ପୁରୀଘାଟ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ନନ୍ଦୀ ସାହି ଅଞ୍ଚଳରୁ ପୁଲିସ ଚାରିଟି ସିସି କ୍ୟାମେରା ଫୁଟେଜ୍‌ ଜବତ କରି ଘଟଣାର ଯାଞ୍ଚ କରୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ଚିତ୍ର ଫୁଟେଜ୍‌ରେ ସ୍ପଷ୍ଟ ଦେଖାଯାଉ ନଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ କହିଛନ୍ତି ।

ସୂଚନା ଅନୁଯାୟୀ ବାଖ୍ରାବାଦ ଅଞ୍ଚଳର ସୁମିତ୍‌ ବାଣ୍ଠିଆ ନାମକ ଜଣେ ବ୍ୟବସାୟୀଙ୍କ ପୀଠାପୁର ଅଞ୍ଚଳରେ ବ୍ୟାଗ୍‌ ଓ ଛତା ଦୋକାନ ରହଛି। ସେ ରାତି ପ୍ରାୟ ୧୦ଟା ୩୫ ବେଳେ ଦୋକାନରେ ତାଲା ପକାଇ ନିଜ ଆକ୍ଟିଭା ଗାଡ଼ି(ଓଡି ୦୫ ଜେଡ୍‌ ୭୨୧୫)ରେ ୭ ଲକ୍ଷ ଟଙ୍କା ନେଇ ଘରକୁ ଫେରୁଥିଲେ । ନନ୍ଦୀସାହି ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ପହଞ୍ଚି ତାଙ୍କୁ ଅଟକାଇଥିଲେ। ଏକ ବନ୍ଧୁକରୁ ଚାରି ରାଉଣ୍ଡ ଗୁଳି ଫୁଟାଇ ତାଙ୍କୁ ଧମକ ଦେଇଥିଲେ। ସୁମିତ୍‌ଙ୍କ ନିକଟରୁ ଦୁର୍ବୃତ୍ତମାନେ ସ୍କୁଟି ଛଡ଼ାଇ ନେଇଥିଲେ। ସେଥିରେ ଥିବା ମୋଟ ୭ ଲକ୍ଷ ଟଙ୍କା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଝୋଲାସାହି ଓ ଚୌଧୁରୀ ବଜାର ମଝିରେ ଥିବା ନନ୍ଦିସାହିର ଆଖପାଖ ଅଞ୍ଚଳରେ ଖଞ୍ଜା ହୋଇଥିବା ସିସି କ୍ୟାମେରା ଫୁଟେଜ୍‌ ପୁଲିସ ଜବତ କରିବା ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର