ଶ୍ୱଶୁର ଘର ଜମି ବିବାଦର ସମାଧାନ ପାଇଁ ଆସି ଜ୍ୱାଇଁର ଜୀବନ ଗଲା

ଏତଲା ଦେବାକୁ ଗଲାବେଳେ ହତ୍ୟା; ଶଳା ଗୁରୁତର

କଟକ/ବାଙ୍କୀ : ଶ୍ୱଶୁର ଘର ଜମିବାଡି ବିବାଦର ସମାଧାନ ପାଇଁ ଯାଇଥିଲା ଜ୍ୱାଇଁ । ହେଲେ ବିବାଦର ସମାଧାନ ହେଲାନି ବରଂ ସୁବର୍ଣ୍ଣପୁର ଫାଣ୍ଡିକୁ ଶ୍ୱଶୁର, ଶଳା ସହ ଏତଲା ଦେବାକୁ ବାଇକ୍‌ରେ ଯାଉଥିବାବେଳେ ଢେଙ୍କାନାଳ ଅଞ୍ଚଳର କିଛି ଯୁବକଙ୍କ ଫାର୍ସା ଓ କାଠଫାଳିଆ ମାଡରେ ଗଲା ହୋମାଗାର୍ଡ ଜ୍ୱାଇଁର ଜୀବନ। ଦୁର୍ବୃତ୍ତ ଶଳାକୁ ନିସ୍ତୁକ ମାଡମାରି ପକାଇ ଦେଇଥିବାବେଳେ ଗୁରୁତର ଅବସ୍ଥାରେ ତାକୁ ୩ଘଣ୍ଟା ପରେ ଉଦ୍ଧାର କରାଯାଇ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଘଟଣା ଘଟିଛି ଜିଲ୍ଲାର ବାଙ୍କୀ ଥାନା କଦଳୀବାଡି ଗ୍ରାମରେ। ହତ୍ୟାକାଣ୍ଡରେ ମୃତ୍ୟୁବରଣ କରିଥିବା ଯୁବକ ଜଣଙ୍କ ହେଲେ ଆଠଗଡ ରାସରସିକପୁରର ଗ୍ରାମର ଚକ୍ରଧର ପ୍ରଧାନଙ୍କ ପୁଅ ତଥା ହୋମଗାର୍ଡ ମହେନ୍ଦ୍ର ଓରଫ ଚିନୁ (୪୦)। ନୂଆଓସ୍ତିଆ ଇଟାଭାଟି ଛକ ନିକଟରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ବାଙ୍କୀ ଥାନା କଦଳୀବାଡି ଗ୍ରାମରେ ରହନ୍ତି ଇନ୍ଦ୍ରମଣି ରାଉତ(୬୦)। ତାଙ୍କ ପଡୋଶୀ କୃତିବାସ ରାଉତ୍‌ଙ୍କ ପରିବାର ମଧ୍ୟରେ କିଛିଦିନ ହେଲା ଜମିବାଡିକୁ ନେଇ ବିବାଦ ଘନେଇଥିଲା। ବୁଧବାର ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ସ୍ଥିର କରିଥିଲେ। ଫଳରେ ଇନ୍ଦ୍ରମଣି ତାଙ୍କ ଜ୍ୱାଇଁ ମହେନ୍ଦ୍ରଙ୍କୁ ଡକାଇଥିଲେ। ଅପରପଟେ ଲକ୍ଷ୍ମୀଧର ମଧ୍ୟ ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗ୍ରାମରୁ ତାଙ୍କ ଭଣଜାଙ୍କ ସମେତ କିଛି ଯୁବକଙ୍କୁ ଡକାଇଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦର ସମାଧାନ ହେବା ପରିବର୍ତେ ତିକ୍ତତା ବଢିଥିଲା। ସମାଧାନ ନହେବାରୁ ଶ୍ୱଶୁର ଇନ୍ଦ୍ରମଣି, ଶଳା ଗଣେଶ ଓ ଜ୍ୱାଇଁ ମହେନ୍ଦ୍ର ସରଣ୍ଡା ଠାରେ ଥିବା ସୁବର୍ଣ୍ଣପୁର ଫାଣ୍ଡିରେ ଏତଲା ଦେବାକୁ ବାଇକ୍‌ରେ ଯାଉଥିଲେ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଲକ୍ଷ୍ମୀଧର ଓ ଡେଙ୍କାନାଳରୁ ଆସିଥିବା ଭଣଜା ଓ କିଛି ଯୁବକ ସେମାନଙ୍କ ପିଛା କରିଥିଲେ। ନୂଆଓସ୍ତିଆ ଇଟାଭାଟି ଛକ ନିକଟରେ ତାଙ୍କ ସହିତ ପୁଣି ବଚସା କରିଥିଲେ । ଏହି ସମୟରେ ଲକ୍ଷ୍ମୀଧରଙ୍କ ଭଣଜା ଧରିଥିବା ଏକ ଠେଙ୍ଗାରେ ମହେନ୍ଦ୍ରଙ୍କ ମୁଣ୍ଡକୁ ଜୋର ପ୍ରହାର କରିଥିଲେ । ଫଳରେ ମହେନ୍ଦ୍ରକୁ ଗୁରୁତର ଅବସ୍ଥାରେ ଆଠଗଡ ସବଡିଭିଜନାଲ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ଡାକ୍ତର ମହେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଶ୍ୱଶୁର ଠିକ୍‌ଥିବାବେଳେ ଶଳା ଗଣେଶର ଖୋଜଖବର ମିଳିନଥିଲା। ଦୀର୍ଘ ତିନିଘଣ୍ଟାପେରେ ଶଳାକୁ ଠାବ କରାଯାଇ ଗୁରୁତର ଅବସ୍ଥାରେ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଫାଣ୍ଡିରେ ଏତଲା ହୋଇ ନଥିଲେ ମଧ୍ୟ ଆଠଗଡ ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ, ବାଙ୍କୀ ଆଇଆଇସି ବିଶ୍ୱରଂଜନ ସାହୁ ଘଟଣା ସ୍ଥଳରେ ପହଂଚି ପ୍ରାରମ୍ଭିକ ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର