ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ଜାମିନ ଆବେଦନ ଖାରଜ, ଜେଲ ଗଲେ ସ୍ୱାମୀ ଲିପନ୍‌

କଟକ: ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତା ବେହେରାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ ଲିପନ ସାହୁ ଜେଲ ଯାଇଛନ୍ତି। ଏସଡିଜେଏମ୍‌ କୋର୍ଟ ମଙ୍ଗଳବାର ଲିପନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏହା ପରେ ଲିପନଙ୍କୁ ଜେଲ ଯିବାକୁ ପଡ଼ିଛି।

ଲିପନକୁ ଚାଉଳିଆଗଂଜ ଥାନା ପୁଲିସ ସୋମବାର ଗିରଫ କରିଥିଲା। ଏହା ପରେ ପୁଲିସ ଆଜି ଲିପନ୍‌କୁ କୋର୍ଟ ଚାଲାଣ କରିଥିଲା। ନିକିତାଙ୍କ ବାପା ସନାତନ ବେହେରା ରବିବାର ହତ୍ୟା ଅଭିଯୋଗ ଆଣିଥିଲେ। ସନାତନ କଟକର ଚାଉଳିଆଗଞ୍ଜ ଥାନାରେ ନିକିତାଙ୍କ ସ୍ୱାମୀ ଓ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ ଆଣିଥିଲେ।

୨୦୧୬ ମସିହାରେ ନିକିତା କଟକ ଗୋପାଳପୁରର ବାସିନ୍ଦା, ଅଭିନେତା ଲିପୁନ ‌ ସାହୁଙ୍କୁ ବିବାହ କରିଥିଲେ। ନିକିତାଙ୍କର ୪ ମାସର ଏକ ଶିଶୁ ପୁତ୍ର ଅଛି। ବିବାହ ପରେ ସେ ପ୍ରାୟତଃ ମହାନଦୀ ବିହାର ସ୍ଥିତ ତାଙ୍କ ବାପଙ୍କ ଘରେ ରହୁଥିବାବେଳେ ଲିପୁନ୍‌ ସେଠାକୁ ଯିବା ଆସିବା କରୁଥିଲେ। ଶୁକ୍ରବାର ରାତି ୧୦ଟାରେ ନିକିତା ମହାନଦୀ ବିହାରରେ ଥିଲେ। ସେହି ସମୟ‌େର ତାଙ୍କ ବାପା, ମା’ ଓ ସ୍ୱାମୀ ଲିପୁନ ବି ଘରେ ଥିଲେ। କୁହାଯାଉଛି ଯେ, ସେ ହଠାତ୍‌ ଛାତରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମହାନଦୀ ବିହାରସ୍ଥିତ ଏକ ଘରୋଇ ହସ୍ପିଟାଲ, ‌ପରେ କଟକ ବଡ ମେଡିକାଲ ଏବଂ ସେଠାରୁ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଶନିବାର ଦିନ ସାଢେ ବାରଟାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାପରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର