ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଫିସର: କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ଠାବ

କଟକ : ଭୁବନେଶ୍ୱରର ପୂର୍ବତନ ତହସିଲଦାର ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ଓଏଏସ୍‌ ଅଧିକାରୀ ଆଶୁତୋଷ ସାମଲଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଗୁରୁବାର କଟକ ଭିଜିଲାନ୍ସର ସେଲ୍‌ ଡିଭିଜନ୍‌ ଅଧିକାରୀମାନେ ୫ଟି ସ୍ଥାନରେ ଏକାସଙ୍ଗରେ ଚଢଉ କରି ୧କୋଟି ୨୨ଲକ୍ଷ ୩୯ହଜାର ୬୭୭ ଟଙ୍କାର ସମ୍ପତ୍ତି ଠାବ କରିଥିବା ସୂଚନା ମିଳିଛି। ଭୁବନେଶ୍ୱର ୟୁନିଟ୍‌-୨ସ୍ଥିତ ସରକାରୀ ବାସଭବନ, ଖାରବେଳ ନଗର ଗ୍ରୀନ୍‌ ହାଇ ଆପାର୍ଟମେଣ୍ଟରେ ଥିବା ୩ବିଏଚ୍‌କେ ଫ୍ଲାଟ୍‌, ବଡ଼ଚଣା ଥାନା ଶାସନ ପୁରୁଷୋତ୍ତମପୁରର ପୈତୃକ ଘର, ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନବରଙ୍ଗପୁରର ସମ୍ପର୍କିୟଙ୍କ ଘର ଏବଂ ଭୁବନେଶ୍ୱରର ସଚିବାଳୟରେ ଥିବା ଅଫିସ୍‌ ଗୃହରେ ଚଢଉ କରାଯାଇଥିଲା। ଯାଞ୍ଚ ବେଳେ ୮୦ଲକ୍ଷ ଟଙ୍କାର ୩ବିଏଚ୍‌କେ ଫ୍ଲାଟ୍‌, ୨୦ଲକ୍ଷ ୭୫୦୦ ଟଙ୍କାର ଜଗାମରା ଓ ଏବରଙ୍ଗ ଅଞ୍ଚଳରେ ଥିବା ଦୁଇଟି ପ୍ଲଟ୍‌, ୫ଲକ୍ଷ ୭୩ହଜାର ୮୮୨ ଟଙ୍କାର ଏଲ୍‌ଆଇସି ପଲିସି, ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ରେ ଜମାଥିବା ସାଢେ ୪ଲକ୍ଷ ଟଙ୍କା, ହୁଣ୍ଡାଇ ସାଣ୍ଟ୍ରୋ କାର୍‌ ଏବଂ ୮୦ ହଜାର ଟଙ୍କାର ପଲ୍‌ସର ବାଇକ୍‌ ଥିବା ବିଷୟରେ ଭିଜିଲାନ୍ସ ଅଧିକାରୀମାନେ ଜାଣିବାକୁ ପାଇଥିଲେ। ରିପୋର୍ଟ ଲେଖା ହେବା ବେଳକୁ ଅନ୍ୟ ସମ୍ପତ୍ତି ଗୁଡ଼ିକ ବାବଦରେ ଯାଞ୍ଚ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର