ଗଣ୍ଡରପୁର ଡ୍ରେନେଜ ଡିଭିଜନ୍‌ ଠକେଇ : ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର :କଟକ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନ୍‌ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା କୋଟି କୋଟି ଟଙ୍କା ଋଣ ଦୁର୍ନୀତି ଅଭିଯୋଗରେ କ୍ରାଇମବ୍ରାଞ୍ଚ ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ନିରଞ୍ଜନ ଶତପଥୀ (୪୭)। ସେ ଚିଲିକା ନାଭାଲ୍‌ ଛକ ନିକଟରେ ରହୁଥିଲେ।

ସୂଚନା ମୁତାବକ, ୨୦୦୯ରୁ ୨୦୧୦ ମଧ୍ୟରେ ୮୫ଜଣ ବ୍ୟକ୍ତି ନିଜକୁ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନ୍‌ର କର୍ମଚାରୀ ଦର୍ଶାଇ ନୟାସଡ଼କ ଆଲ୍ଲାହାବାଦ ବ୍ୟାଙ୍କରୁ ୨.୨୬କୋଟି ଟଙ୍କା ଋଣ ନେଇଥିଲେ। ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ ସେମାନେ କର୍ମଚାରୀ ନୁହଁନ୍ତି। କାଗଜପତ୍ର ଜାଲିଆତି କରି ଏଭଳି ଠକେଇ କରିଛନ୍ତି। ଏ ନେଇ ବ୍ୟାଙ୍କ ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଯେଉଁଥିରେ ନିରଞ୍ଜନ ନିଜକୁ ଜଣେ କନିଷ୍ଠ ଯନ୍ତ୍ରୀ ଦର୍ଶାଇ ୩ଲକ୍ଷ ଟଙ୍କା ଋଣ ନେଇଥିଲେ। ଘଟଣା ପଦାକୁ ଆସିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆଜିର ଗିରଫଦାରୀକୁ ମିଶାଇ ଏବେ ସୁଦ୍ଧା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ୨୭ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର