ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧.୩ କୋଟି ଟଙ୍କା ଠକେଇ : ପରାମର୍ଶ ଦେଉଥିଲେ, ଲୁଟି ନେଲେ

ଅଭିଯୁକ୍ତ ଦିଲ୍ଲୀପ ଗିରଫ, ସ୍କୋଡା କାର୍‌, ୮ ଡେବିଟ୍‌ କାର୍ଡ ଜବତ

କଟକ : ବିଦେଶରେ ରହୁଥିବା ଜଣେ ମହିଳା ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧.୩ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନା ପକ୍ଷରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ଅଭିଯୋଗକାରୀଙ୍କ ଆର୍ଥିକ ପରାମର୍ଶଦାତା ଦିଲ୍ଲୀପ କୁମାର ଦାସ (୩୧)। ଦିଲ୍ଲୀପଙ୍କ ନିକଟରୁ ଠକେଇ କାମରେ ବ୍ୟବହୃତ ବିଭିନ୍ନ ବ୍ୟାଙ୍କର ୮ଟି ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ, ମୋବାଇଲ୍‌ ଫୋନ୍‌, ସିମ୍‌ କାର୍ଡ, ଲାପଟପ୍‌, ସ୍କୋଡା କାର‌୍‌, ଫ୍ଲାଟ୍‌ କାଗଜପତ୍ର ଏବ˚ ଠକେଇ ଟଙ୍କାରେ କିଣାଯାଇଥିବା ଅନ୍ୟାନ୍ୟ ସୌକିନ୍‌ ସାମଗ୍ରୀଗୁଡ଼ିକୁ ପୁଲିସ୍‌ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣେ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ହୋଇଥିଲାବେଳେ ଦକ୍ଷିଣ ଆଫ୍ରିକାର ଲିବ୍ୟାରେ ଦୀର୍ଘ ୪୦ ବର୍ଷ ହେବ ସେ ନିଜ ସ୍ବାମୀଙ୍କ ସହ ରହିଆସୁଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ ଓ ଏସ୍‌ବିଆଇରେ ତାଙ୍କର ଏନ୍‌ଆର‌୍‌ଆଇ ଆକାଉଣ୍ଟ ରହିଛି। ଅଭିଯୁକ୍ତ ଦିଲ୍ଲୀପ ତାଙ୍କ ଆର୍ଥିକ ପରାମର୍ଶଦାତା ଭାବେ ୨୦୧୧ ମସିହାରୁ କାର୍ଯ୍ୟ କରିଆସୁଛନ୍ତି। ତେଣୁ ସଂପୃକ୍ତ ମହିଳା ଡାକ୍ତରଙ୍କ ଆର୍ଥିକ ନେଣଦେଣ ଓ ବ୍ୟାଙ୍କ ଡିପୋଜିଟ୍‌ ଉପରେ ଅଭିଯୁକ୍ତ ପାଖରେ ସ˚ପୂର୍ଣ୍ଣ ତଥ୍ୟ ରହୁଥିଲା। ଫଳରେ ଏହାର ଫାଇଦା ନେବାକୁ ଯାଇ ଅଭିଯୁକ୍ତ ୨୦୧୭, ନଭେମ୍ବର ୧୪ରୁ ୨୦୧୯, ଜାନୁଆରି ୨୧ ତାରିଖ ମଧ୍ୟରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟରୁ ପାଖାପାଖି ୧.୩ କୋଟି ଟଙ୍କା ବେଆଇନ୍‌ ଭାବେ ନିଜର ଇଣ୍ତସ୍‌ଇଣ୍ତ କ୍ରେଡିଟ୍‌ କାର୍ଡକୁ ଟ୍ରାନ୍ସଫର କରିଥିଲା। ଏପରିକି ଅଭିଯୋଗକାରୀଙ୍କ ସ୍ବାମୀଙ୍କ ନାମରେ ଥିବା ମ୍ୟୁଚୁଆଲ୍‌ ଫଣ୍ତରୁ ଅଟୋ ସ୍ବିପ୍‌ ଟଙ୍କା ଟ୍ରାନ୍ସଫର ପାଇଁ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରିଥିବା ଜଣାପଡ଼ିଥିଲା। ଠକେଇ ହୋଇଥିବା ସନ୍ଦେହ ହେବାରୁ ଅଭିଯୋଗକାରୀ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ (୮/୧୯) କରିଥିଲା। ଆଇପିସି ଦଫା ୩୭୯, ୪୨୦, ୪୭୬, ୪୬୮, ୪୭୧, ଆଇଟି ଆଇନ୍‌ ଧାରା ୬୬, ୬୬ ସି, ୬୬ଡି ଅନୁଯାୟୀ ମାମଲା ରୁଜୁ କରାଯାଇ ଇନ୍ସପେକ୍ଟର ଅନୀଲ ଆନନ୍ଦଙ୍କୁ ତଦନ୍ତ ଭାର ଦିଆଯାଇଥିଲା।

ଘଟଣାରେ ଜଡ଼ିତ ଥିବା ଆଇସିଆଇସିଆଇ ବ୍ୟାଙ୍କ, ଏସ୍‌ବିଆଇ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇଣ୍ତସ୍‌ଇଣ୍ତ୍‌ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ଡିଭିଜନ୍‌, ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍‌ ଏଏମ୍‌ସି ଲିମିଟେଡ୍‌ ଇତ୍ୟାଦିର କାରବାର ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ଦିଲ୍ଲୀପ ପାଖରେ ପୁଲିସ୍‌ ପହଞ୍ଚିଥିଲା। ମନ୍ଦ ଉଦ୍ଦେଶ୍ୟ ରଖି ଅଭିଯୁକ୍ତ ଦିଲ୍ଲୀପ ଠକେଇ କରିଥିବା ସ୍ପଷ୍ଟ ହୋଇଥିଲା। ଏହି ଟଙ୍କାରେ ଇନ୍‌ଫୋସିଟି ଥାନା ଅଂଚଳରେ ଏକ ବଡ଼ ଫ୍ଲାଟ୍‌ର ଅଷ୍ଟମ ମହଲାକୁ ଅଭିଯୁକ୍ତ କିଣିଥିବା ଜଣାପଡ଼ିଥିଲା। ପୁଲିସ ଠକେଇ ଟଙ୍କାରେ କିଣାଯାଇଥିବା ସାମଗ୍ରୀଗୁଡ଼ିକ ସହ ଏହି କାମରେ ବ୍ୟବହୃତ ହୋଇଥିବା ଡେବିଟ୍‌, କ୍ରେଡିଟ୍‌ କାର୍ଡ, ମୋବାଇଲ୍‌, ସିମ୍‌, ଲାପଟପ୍‌ ଇତ୍ୟାଦିକୁ ଜବତ କରିଛି। ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରାଯିବା ପରେ ଆଜି ଅଭିଯୁକ୍ତକୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର