ମାଣିଆବନ୍ଧରେ ଗଞ୍ଜେଇ ବେପାରରୁ ସଂଘର୍ଷ : ବୋମାମାଡ଼ରେ ଜଣେ ମୃତ, ୨ ଗୁରୁତର

ମାଣିଆବନ୍ଧ/ତିଗିରିଆ : କଟକ ଜିଲ୍ଲା ମାଣିଆବନ୍ଧ ଗ୍ରାମରେ ଗଂଜେଇ ବେପାରକୁ ନେଇ ଗୋଷ୍ଠୀ ସଂଘର୍ଷ। ଗତକାଲି ବିଳମ୍ବିତ ରାତିରେ ଫାଣ୍ଡିରୁ ମାତ୍ର ଶହେ ମିଟର ଦୂରରେ ଏଭଳି ସଂଘର୍ଷ ଯୋଗୁଁ ସ୍ଥାନୀୟ ଅଞ୍ଚଳ ରଣକ୍ଷେତ୍ର ପାଲଟିଥିଲା। ବୋମାମାଡ଼ରେ ତିଗିରିଆ ଥାନା ବିନ୍ଧାଣିମା ଗ୍ରାମର ବିକାଶ ସାହୁ (୨୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ଇନ୍ଦ୍ରମଣି ସେଠଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ପୁଲିସ ତଦନ୍ତ ଆରମ୍ଭ କରିବା ସହ ୪ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରୁ ଅଫୁଟା ବୋମା, ରକ୍ତଭିଜା ଲୁଗା ସହ ଫୁଟିଥିବା ବୋମାର ଟୁକୁରା ଅଂଶ ଓ ୨ଟି ବାଇକ୍‌ ଜବତ୍‌ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଦୁର୍ଦ୍ଦାନ୍ତ କାଳିଆ ଓରଫ୍‌ ଶ୍ରୀକାନ୍ତ ଜେନା ଫେରାର ହୋଇଯାଇଛି।

ଗତକାଲି ଅପରାହ୍ନରେ ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମାର କିଛି ଯୁବକ ମାଣିଆବନ୍ଧ ଫାଣ୍ଡି ଅନ୍ତର୍ଗତ ସାମନ୍ତରାବାଳି ଗାଁରେ ପହଞ୍ଚି କାଳିଆକୁ ଧମକ ଦେଇଥିଲେ। ଏଥିରୁ ଆରମ୍ଭ ହୋଇଥିଲା ବିବାଦ। ଗଞ୍ଜେଇ ବେପାରକୁ ନେଇ ଏହି ବିବାଦ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏଭଳି ଧମକ ଦେବାପରେ କାଳିଆ ତାର ସହଯୋଗୀମାନେ ନୂଆପାଟଣା ବଜାରରେ ପହଂଚି ଥିଲେ। ସେଠାରେ ଧମକ ଦେଇଥିବା ଗୋଷ୍ଠୀ ଓ କାଳିଆର ଗୋଷ୍ଠୀ ଭିତରେ ଯୁକ୍ତିତର୍କ ହେବାପରେ କାଳିଆ ଓ ତାର ସହଯୋଗୀମାନେ ଫେରିଯାଇଥିଲେ। କିନ୍ତୁ ବିନ୍ଧାଣିମାର ବିକାଶ ସାହୁଙ୍କ ସହ ୪ଜଣ ସ୍କୁଟି ଓ ବୁଲେଟ୍‌ରେ ରାତି ପ୍ରାୟ ସାଢେ ୧୦ଟାରେ ସାମନ୍ତରାବାଳିକୁ ଯାଉଥିବା ବେଳେ ପୂର୍ବରୁ ସୂଚନା ପାଇ କାଳିଆ ଗୋଷ୍ଠୀ ସେଠାରେ ଛକି ବସିଥିଲେ। ଲୋକ ଅଧିକ ଥିବା ଦେଖି ବିକାଶ ଓ ତାର ସହଯୋଗୀମାନେ ଦ୍ରୃତଗତିରେ ମାଣିଆବନ୍ଧପଟକୁ ଯାଉଥିବାବେଳେ ସେମାନଙ୍କର ପିଛା କରି କାଳିଆ ବୋମା ଫିଙ୍ଗିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହ ବୋମା ମାଡ଼ ଓ ଖଣ୍ଡା ଆକ୍ରମଣରେ ଘଟଣାସ୍ଥଳରେ ବିନ୍ଧାଣିମା ଗ୍ରାମର ବିକାଶ ସାହୁଙ୍କର ମୃତ୍ୟୁ ଘଟିଥିଲା।

ଏଥିରେ ଇନ୍ଦ୍ରମଣି ସେଠ ଓ ଅନ୍ୟ ଜଣେ ଆହତ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ବିକାଶକୁ ପାଠାଗାର ଛକରୁ ଏବଂ ଇନ୍ଦ୍ରମଣିକୁ ଚଣ୍ଡୀଛକରୁ ଉଦ୍ଧାର କରାଯାଇଥିଲା।

ଆଠଗଡ଼ ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ ରାତିରେ ଖବର ପାଇ ବଡ଼ମ୍ବା, ତିଗିରିଆ, ଆଠଗଡ଼ ଥାନାର ପୁଲିସ ସହାୟତାରେ ଛାନଭିନ୍‌ କରିଥିଲେ। ସନ୍ଦେହରେ ମାଣିଆବନ୍ଧରୁ ୪ ଜଣଙ୍କୁ ଅଟକ ରଖିଥିବା ଶ୍ରୀ ପାଲ ପ୍ରକାଶ କରିଛନ୍ତି। ଆଜି ଘଟଣାସ୍ଥଳରେ ଆଡ଼ିସନାଲ ଏସ୍‌ପି କୃତିବାସ ଜେନା ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଥିଲେ। ଘଟଣାସ୍ଥଳରୁ ଏକ ଅଫୁଟାବୋମା, ସୁନା ବ୍ରେସଲେଟ ସହିତ ଗାଡ଼ିର ଭଙ୍ଗାରୁଜା ଅଂଶକୁ ଜବତ କରାଯାଇଛି। ବିକାଶଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଏକ ନମ୍ବରବିହୀନ ନୂଆ ବୁଲେଟ ଗାଡ଼ି ଓ ଆକ୍ଟିଭାକୁ ମଧ୍ୟ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର