କଟିକଟା ବଜାରରେ ଗୁଳିମାଡ଼: ଜଣେ ମୃତ

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ରାତି ୧୨ଟାରେ ଗୁଳିମାଡ଼ ହୋଇଛି। ଗୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଯୁବକ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ରେ ପ୍ରାଣ ହରାଇଥିବା ଯୁବକ ହେଉଛନ୍ତି ମାହାଙ୍ଗା ଥାନା ଭରତପଡ଼ା ଗ୍ରାମର ଅବୁ ବକ୍କର। ଅନ୍ୟ ୩ ଆହତ ହେଉଛନ୍ତି କଟିକଟାର ଉତ୍ତମ ଦାସ, ନିତ୍ୟାନନ୍ଦ ମଳିକ ଏବଂ ବୁବୁ ମଳିକ। କଟିକଟା ମହୋତ୍ସବ ସହ କାର୍ତ୍ତିକେଶ୍ବର ମେଲୋଡି ଦେଖିବାକୁ ଏହି ୪ ଜଣ ଆସିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଅବୁ ବକ୍କର ଓ ତାଙ୍କ ସହଯୋଗୀଙ୍କ ସହ ବାଇକରେ ଆସିଥିବା ଅନ୍ୟ ଦୁଇ ଜଣଙ୍କର ମୁଖ୍ୟ ରାସ୍ତାରେ ବଚସା ହୋଇଥିଲା। ଉଭୟପକ୍ଷ ଠେଲାପେଲା ହୋଇଥିବା ହୋଇଥିବାବେଳେ ବାଇକରେ ଆସିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ମାଉଜର କାଢି ପାଖାପାଖି ୬ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଅବୁ ବକ୍କର ପଲ୍‌ସର ବାଇକ ଛାଡି ତଳେ ପଡି ଯାଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜି ଥିବା ବେଳେ ଅନ୍ୟମାନଙ୍କ ହାତ, ଗୋଡରେ ଗୁଳି ବାଜିଥିବା କୁହାଯାଉଛି। ୪ ଜଣଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଅଗ୍ନିଶମ ବିଭାଗ ଗାଡ଼ିରେ କଟକ ସ୍ଥାନାନ୍ତର କରାଯାଇଥିଲା। ଘଟଣାସ୍ଥଳରେ ବାଇକ ଏବଂ ୨ଟି ଖୋକା ପଡିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର