ରିମାଣ୍ଡ ଅବଧି ଶେଷ: ଜେଲ୍‌ ଗଲେ ଓସ୍କାର ମୁଖ୍ୟ ଓ ଦୁଇ ନିର୍ଦ୍ଦେଶକ

କଟକ : ରିମାଣ୍ଡ ଅବଧି ଶେଷ ହେବା ପରେ ଓସ୍କାର ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ ମୁଖ୍ୟ ପ୍ରଭାସ ଚନ୍ଦ୍ର ରାଉତ, ନିର୍ଦ୍ଦେଶକ ମୁନା ପାତ୍ର ଓ କୀର୍ତ୍ତି ବସ୍ତିଆଙ୍କୁ ପୁଣି ଜେଲ୍‌ ପଠାଇଦିଆଯାଇଛି। ମହାରାଷ୍ଟ୍ର ପୁଣେ ପୁଲିସ ଶନିବାର ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ଉକ୍ତ ତିନିଜଣଙ୍କୁ ହାଜର କରିବା ପରେ ଜେଲ୍‌ ପଠାଇଥିବା ସୂଚନା ଦିଆଯାଇଛି। ସୂଚନାରୁ ପ୍ରକାଶ ଯେ, ଓସ୍କାର ସଂସ୍ଥା ବିରୋଧରେ ସ୍ଥାନୀୟ ଶିବଜୀନଗର ଏମ୍‌ପିଆଇଡି ସ୍ୱତନ୍ତ୍ର ଅଦାଲତରେ ମାମଲା ବିଚାରାଧୀନ ରହିଥିବା ବେଳେ ଏ ନେଇ ଓସ୍କାର ମୁଖ୍ୟ ଓ ନିର୍ଦ୍ଦେଶକଙ୍କୁ ଜେରା କରିବା ଜରୁରି ବୋଲି ପୁଣେ ପୁଲିସ୍‌ ଦର୍ଶାଇଥିଲା ଏବଂ ୮ଦିନ ରିମାଣ୍ଡରେ ନେଇଥିଲା। ଓସ୍କାର ଠକେଇ ମାମଲାରେ ନିର୍ଦ୍ଦେଶକ ମୁନା ପାତ୍ର ୨୦୧୫ରେ ଗିରଫ ହୋଇଥିବା ବେଳେ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କୁ ୨୦୧୬, ଜୁନ୍‌ ୧୦ରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଦିଲ୍ଲୀରୁ ଗିରଫ କରିଥିଲା। ଅନ୍ୟ ନିର୍ଦ୍ଦେଶକ ତାରା ପ୍ରସାଦ ହୋତା, କୀର୍ତ୍ତି ବସ୍ତିଆ ଓ ଅବନି ପଟ୍ଟନାୟକଙ୍କୁ ୨୦୧୬ ଜୁନ ମାସରେ ଗିରଫ କରାଯାଇଥିଲା। ପ୍ରଭାସ ଓ ଅନ୍ୟମାନଙ୍କୁ ବିଭିନ୍ନ ପର୍ଯ୍ୟାରେ କ୍ରାଇମ ବ୍ରାଞ୍ଚ ରିମାଣ୍ଡରେ ନେଇ ପଚରା ଉଚୁରା କରିଥିବା ବେଳେ ରାଜ୍ୟ ବାହାରେ ଗୁଜରାଟ ଓ ମହାରାଷ୍ଟ୍ରରେ ଠକେଇ ଚେର ଲମ୍ବିଥିବା ଜଣାପଡିଥିଲା। ତଦନ୍ତରୁ ପ୍ରାୟ ୨୩୦ କୋଟି ଟଙ୍କା ଓସ୍କାର ଠକିଥିବା ଜଣାପଡିଥିଲା। ପ୍ରଭାସ ଜମାଟଙ୍କାରେ ୪ଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିବା ତଦନ୍ତ ସମୟରେ ଜଣାପଡ଼ିଥିଲା। ଗତ ବର୍ଷ ମହାରାଷ୍ଟ୍ର ପୁଲସ୍‌ ଓ ଗୁଜରାଟ ପୁଲିସ ବିଭିନ୍ନ ପର୍ଯ୍ୟାୟରେ ପ୍ରଭାସ ଓ ଅନ୍ୟ ନିର୍ଦ୍ଦେଶକଙ୍କୁ ରିମାଣ୍ଡରେ ନେଇ ଜେରା କରିଥିଲା।

ସମ୍ବନ୍ଧିତ ଖବର