ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୨ବର୍ଷ ଜେଲ୍‌

କଟକ : ଇନ୍ଦିରା ଆବାସ ଯୋଜନାରେ ଜଣେ ହିତାଧିକାରୀଙ୍କଠୁ ବିଲ୍‌ ପାସ୍‌ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ବେଗୁନିଆ ବ୍ଲକ୍‌ କୁଞ୍ଜୁରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିତା ବେହେରାଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହିତ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି। ଅଭିଯୋଗକାରୀ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ପାଟେଣି ଗ୍ରାମର ବସନ୍ତ ପ୍ରଧାନଙ୍କଠୁ ଅନିତା ୮୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭୁବନେଶ୍ୱର ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ। ବସନ୍ତଙ୍କ ବାପାଙ୍କ ନାମରେ ଆସିଥିବା ଇନ୍ଦିରା ଆବାସ ଘରର ବିଲ୍‌ ପାସ୍‌ କରାଇବାକୁ ସେ ଏହି ଲାଞ୍ଚ ମାଗିଥିଲେ। ଦୁର୍ନୀତି ନିବାରଣ ଆଇନ୍‌ ଧାରା ୭, ୧୩(୨), ୧୩(୧)(ଡି) ଅନୁଯାୟୀ ଅନିତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷି କରିଥିଲାବେଳେ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଭୁବନେଶ୍ୱର ଭିଜିଲାନ୍ସର ପୂର୍ବତନ ଇନ୍ସପେକ୍ଟର ତଥା ବର୍ତ୍ତମାନର ବ୍ରହ୍ମପୁର ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ମାମଲାର ତଦନ୍ତ କରିଥିଲାବେଳେ ସ୍ୱତନ୍ତ୍ର ପି.ପି. ଏଚ୍‌.କେ. ସ୍ୱାଇଁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର