ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ : କ୍ରାଇମ୍‌ବ୍ରାଞ୍ଚ ହାତରେ ଦିଲ୍ଲୀର ଅଭିଯୁକ୍ତ ଛାତ୍ର

କଟକ : ଓଡ଼ିଶାର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଫେସ୍‌ବୁକ୍‌ରେ ଭାଇରାଲ୍‌ ହେବା ଅଭିଯୋଗରେ ଦିଲ୍ଲୀର ଜଣେ ଛାତ୍ରକୁ କ୍ରାଇମ୍‌ବ୍ରାଞ୍ଚ ସାଇବର୍‌ ସେଲ୍‌ ଆଜି ଗିରଫ କରିଛି । ଅଭିଯୁକ୍ତ ଛାତ୍ର ମନିଶ ଝା(୨୬)। ତା’ ନିକଟରୁ ଅପରାଧରେ ବ୍ୟବହୃତ ହୋଇଥିବା ମୋବାଇଲ୍‌ ଫୋନ୍‌, ସିମ୍‌ କାର୍ଡ, ମେମୋରି କାର୍ଡ ଜବତ କରାଯାଇଥିବା ସୂଚନା ମିଳିଛି ।

ଦିଲ୍ଲୀ ଡାଲୁପୁରରେ ରହୁଥିବା ବିହାର ସୀତାମାରହି ଅଞ୍ଚଳର ଛାତ୍ର ମନିଶ ଝା ଓଡ଼ିଶାର ଜଣେ ଯୁବତୀଙ୍କ ନାଁରେ ଫେସ୍‌ବୁକରେ ଜାଲ୍‌ ଆକାଉଣ୍ଟ ଖୋଲିଥିଲା । ଏଥିରେ ସେ ସମ୍ପୃକ୍ତ ଯୁବତୀଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରିଥିଲା । ଅନେକ ସମୟରେ ଯୁବତୀଙ୍କ ପରିବାର ଲୋକଙ୍କ ହ୍ଵାଟ୍‌ସଆପ୍‌ ନମ୍ବରକୁ ମଧ୍ୟ ଉକ୍ତ ଫଟୋ ପଠାଇଥିଲା । ଏ ପ୍ରକାର ଘଟଣା ମାସ ମାସ ଧରି ଯୁବତୀଙ୍କ ସହିତ ଘଟୁଥିବାରୁ ପରିବାର ଲୋକେ ଏକ ପ୍ରକାର ଭୟଭୀତ ହୋଇଯାଇଥିଲେ । ଏ ସଂକ୍ରାନ୍ତରେ ୨୦୧୭ ଏପ୍ରିଲ ୭ ତାରିଖରେ ରାଜ୍ୟ କ୍ରାଇମ୍‌ ବ୍ରାଞ୍ଚର ସାଇବର ସେଲ୍‌ରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ ।

ପୁଲିସ ଆଇପିସିର ଦଫା ୨୯୨, ୩୫୪, ଡି/୪୬୫, ୪୬୯, ୫୦୬, ୫୦୯ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ର ଦଫା ୬୬, ୬୬-ସି, ୬୭, ୬୭-ଏ’ରେ ଏକ ମାମଲା(କେସ୍‌ ନଂ ୧୧) ରୁଜୁ କରିଥିଲା । ଘଟଣାର ତଦନ୍ତ ସମୟରେ ମନିଶର ଠିକଣା ଠାବ କରିବା ପରେ ତାକୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲା କ୍ରାଇମବ୍ରାଞ୍ଚ୍‌ । ଦିଲ୍ଲୀରୁ କ୍ରାଇମ୍‌ବ୍ରାଞ୍ଜର ଏକ ଟିମ୍‌ ମନିଶକୁ ଗିରଫ କରିିଥିଲା । ଆଜି ତାକୁ କଟକ ସଦର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର ପରେ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର