ପୁଲିସ-ଆଇନଜୀବୀ ବିବାଦ:ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି

ଗୃହ ସଚିବ, ପୁଲିସ ଡିଜି, ଆଇଜି, କମିସନର, ହାଇକୋର୍ଟ ବାର‌୍‌ ସଭାପତି, ସ˚ପାଦକ, ବରିଷ୍ଠ ଆଇନଜୀବୀ ରହିବେ ସଦସ୍ୟ

କଟକ: ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନରେ ଗତ ୧୪ ତାରିଖ ଦିନ ପୂର୍ଣ୍ଣଛେଦ ପଡିଥିବା ବେଳେ ଏପରି ଘଟଣାର ପୁନରାବୃତ୍ତି ଯେପାରି ନ ହେବ ସେଥି ପାଇଁ ପଦକ୍ଷେପ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସି.ଆର‌୍‌.ଦାଶଙ୍କୁ ନେଇ ଗଠିତ ଖଣ୍ତପୀଠ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଆଇନଜୀବୀଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏଥି ପାଇଁ ୭ ଦିନ ଭିତରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ଖଣ୍ତପୀଠ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି ଯେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧୢକ୍ଷତାରେ କମିଟି ଗଠନ କରାଯିବ। ଏହି କମିଟିରେ ରାଜ୍ୟ ଗୃହ ବିଭାଗର ଅତିିରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ ସଚିବ ରହିବେ। ଏଥିରେ ଆଇନ ସଚିବ, ପୁଲିସ ଡିଜି, ପୁଲିସ ଆଇଜି(ହେଡ୍‌ କ୍ବାର୍ଟର), ଭୁବନେଶ୍ବର-କଟକ ପୁଲିସ କମିସନରଙ୍କ ସହିତ ହାଇକୋର୍ଟ ବାର‌୍‌ ଆସୋସିଏସନର ସଭାପତି, ସ˚ପାଦକ ସଦସ୍ୟ ରହିବେ। ଏଥି ସହିତ ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ଦ୍ବାରା ମନୋନୀତ ତିନି ଜଣ ଆଇନଜୀବୀ କମିଟିରେ ସଦସ୍ୟ ରହିବେ। ଏହି ତିନି ଜଣଙ୍କ ମଧୢରୁ ଦୁଇ ଜଣ ସ୍ବୀକୃତିପ୍ରାପ୍ତ ବରିଷ୍ଠ ଆଇନଜୀବୀ ହୋଇଥିବେ ଓ ସେମାନଙ୍କର ୩୫/୪୦ ବର୍ଷର ଆଇନପେସାରେ ଅଭିଜ୍ଞତା ରହିଥିବ। ପ୍ରସ୍ତାବିତ କମିଟିରେ ସଦସ୍ୟ ହେବାକୁ ଥିବା ଆଇନଜୀବୀ କୌଣସି ରାଜନୈତିକ ଦଳର ସଦସ୍ୟ ହୋଇ ନଥିବେ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପାଇବାର ୭ ଦିନ ଭିତରେ କମିଟି ଗଠନ ହେବ ଓ ପ୍ରଥମ ବୈଠକର ୨ ମାସ ଭିତରେ ଏହି କମିଟି ରିପୋର୍ଟ ପ୍ରଦାନ କରିବ। କମିଟିର ଅନୁମୋଦନ ବାର‌୍‌ ସଦସ୍ୟଙ୍କ ମତାମତ ଆଧାରରେ ନ୍ୟାୟିକ ପ୍ରକ୍ରିୟାରେ ତର୍ଜମା କରାଯିବ। ଭବିଷ୍ୟତରେ ଯେପରି ଏପରି ଘଟଣା ଉପରେ ଅଙ୍କୁଶ ଲଗାଯାଇ ପାରିବ ସେ ନେଇ କମିଟି ଉପଯୁକ୍ତ ପ୍ରସ୍ତାବ ଦେବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ଜାନୁଆରି ୧୯ରେ କରାଯିବା ପାଇଁଁ ଧାର୍ଯ୍ୟ କରାଯାଇଛି।

ଏଥି ସହିତ ଅଗଷ୍ଟ ୨୮ ତାରିଖ ଦିନ ନୂଆବଜାର ଛକରେ ଘଟିଥିବା ଘଟଣାକୁ ନେଇ ଚାଉଳିଆଗଞ୍ଜ ଥାନାରେ ରୁଜୁ ହୋଇଥିବା ଚାରିଟି ଏତଲା ରଦ୍ଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ଅକ୍ଟୋବର ୨୯ରେ ଆଇନଜୀବୀଙ୍କ ଆନ୍ଦୋଳନ ସମୟରେ ହାଇକୋର୍ଟ ନିକଟରେ ଜଣେ ପୁଲିସ କର୍ମଚାରୀ ଓ ଜଣେ ସାଧାରଣ ଲୋକଙ୍କୁ ଆକ୍ରମଣକୁ ନେଇ ଲାଲବାଗ ଥାନାରେ ରୁଜୁ ଦୁଇଟି ଏତଲାକୁ ଖଣ୍ତପୀଠ ରଦ୍ଦ କରିଛନ୍ତି। ଆଇନଜୀବୀ ଓ ପୁଲିସଙ୍କ ମଧୢରେ ଆପୋଷରେ ବିବାଦର ସମାଧାନ ହୋଇଥିବା ଦୃଷ୍ଟିରୁ ଏହି ସବୁ ମାମଲା ଗୁଡିକ ରଦ୍ଦ ପାଇଁ ଖଣ୍ତପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅଗଷ୍ଟ ୨୮ ତାରିଖ ଘଟଣାକୁ ନେଇ ଆଇନଜୀବୀ ଶ୍ରୀ ପଟ୍ଟନାୟକ ଚାଉଳିଆଗଞ୍ଜ ଥାନାରେ ଗୋଟିଏ ଏତଲା ଦେଇଥିବା ବେଳେ ଶିବ ପ୍ରସାଦ ସାହୁ, ହାବିଲଦାର ପ୍ରସନ୍ନ କୁମାର ବେହେରା ଓ ଦିଲ୍ଲୀପ ସି˚ ତାଙ୍କ ବିରୋଧରେ ତିନୋଟି ପୃଥକ ଏତଲା ରୁଜୁ କରିଥିଲେ। ଏହା ପରେ ଅକ୍ଟୋବର ୨୯ର ଘଟଣାକୁ ନେଇ ଲାଲବାଗ ଥାନାରେ ଜିତୁ ନିମାଇ ଓ ଏସ.ଏନ୍‌.ଛୁଆଳସି˚ ଦୁଇଟି ଏତଲା ଆଇନଜୀବୀଙ୍କ ବିରୋଧରେ ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର