ପୁଲିସ କର୍ମଚାରୀ ହେବେ ବୀମାଭୁକ୍ତ : ୩୨ଟି ରୋଗର ଚିକିତ୍ସା ସୁବିଧା

ବାର୍ଷିକ ୧୨ କୋଟି ଖର୍ଚ୍ଚ ଆକଳନ

କଟକ: ମୋଟ ୩୨ ପ୍ରକାର ଗୁରୁତ୍ବପୂର୍ଣ୍ଣ ରୋଗରେ ପୀଡ଼ିତ ରାଜ୍ୟ ପୁଲିସ ବିଭାଗର ସମସ୍ତ ଅଫିସର ଓ କର୍ମଚାରୀଙ୍କୁ ମିଳିବ ମାଗଣା ଚିକିତ୍ସା ସେବା। ତା’ ସହିତ ସେମାନଙ୍କ ପରିବାରର ସର୍ବାଧିକ ୭ ଜଣ ସଦସ୍ୟ ମଧ୍ୟ ଉପକୃତ ହୋଇପାରିବେ। ଏଥିପାଇଁ ବାର୍ଷିକ ରାଜ୍ୟ ସରକାରଙ୍କ ଦହବିଲ୍‌ରୁ ପ୍ରାୟ ୧୨ କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହେବ। ଏ ସ˚କ୍ରାନ୍ତରେ ଆଜି ପୁଲିସ ମୁଖ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା କରାଯାଇଛି। ପ୍ରସ୍ତାବିତ ସ୍କିମ୍‌ ଏବ˚ ଆଲୋଚନାରେ ଆସିଥିବା ନିଷ୍କର୍ସ ସମ୍ପର୍କରେ ପୁଲିସ ଡିଜିଙ୍କ ପକ୍ଷରୁ ଗୃହ ବିଭାଗକୁ ଅବଗତ କରାଯିବ ବୋଲି ସୂଚନା ମିଳିଛି।
ରାଜ୍ୟ ପୁଲିସ ବିଭାଗରେ ଏବେ ମୋଟ ୭୩ ହଜାର ପୁଲିସ ଅଫିସର ଏବ˚ କର୍ମଚାରୀ ଅଛନ୍ତି। ଆଜିର ବୈଠକରେ ଆଲୋଚନା ଅନୁଯାୟୀ ପ୍ରାୟ ୩୨ଟି ରୋଗରେ ସମ୍ପୃକ୍ତ ପୁଲିସ ଅଫିସର କିମ୍ବା କର୍ମଚାରୀ ନିଜେ ମାଗଣାରେ ସେବା ପାଇବା ସହିତ ତାଙ୍କ ପରିବାରର ସ୍ତ୍ରୀ, ସନ୍ତାନ ଏବ˚ ବାପା ମା’ଙ୍କୁ ମିଶାଇ ସର୍ବାଧିକ ୭ ଜଣ ଲାଭବାନ ହୋଇପାରିବେ।
ଏବେ ମହାରାଷ୍ଟ୍ର ପୁଲିସ ବିଭାଗକୁ ମେଡି ଆସିଷ୍ଟ ହେଲ୍‌ଥ କେୟାର ସର୍ଭିସ ପ୍ରାଇଭେଟ୍‌ ଲିଃ ପକ୍ଷରୁ ମାଗଣା ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବା ନେଇ ସରକାରଙ୍କ ସହିତ ଚୁକ୍ତି କରାଯାଇଛି। ସମସ୍ତ ଅଫିସର ଏବ˚ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି। ବାର୍ଷିକ ୧୨ କୋଟି ପାଖାପାଖି ଅର୍ଥ ଖର୍ଚ୍ଚ ହେଉଥିବାରୁ ଓଡ଼ିଶାରେ ମଧ୍ୟ ସେହି ପରିମାଣର ଅର୍ଥ ଖର୍ଚ୍ଚ ନେଇ ଆକଳନ କରାଯାଉଛି। ମାଗଣା ବୀମା ସେବା ଆରମ୍ଭ କରିବା ପୂର୍ବରୁ ଏକ କମିଟ ଗଠନ କରାଯିବ। ଏଥିରେ ପୁଲିସ ବିଭାଗର ଏବ˚ ସ୍ବାସ୍ଥ୍ୟ ବିଭାଗର ପକ୍ଷରୁ ସଦସ୍ୟ ସାମିଲ ହେବେ। କେଉଁ ରୋଗ ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ, ସେ ସମ୍ପର୍କରେ ଆଲୋଚନାକରି ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସମ୍ପର୍କରେ ଆଜି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମାଙ୍କ ସମେତ ପୁଲିସ କମିସନର ସତ୍ୟଜିତ ମହାନ୍ତି, ସ୍ପେଶାଲ ଆର୍ମ ଫୋର୍ସ ଏଡିଜି ମନୋଜ ଛାବ୍ରା, ପୁଲିସ ମୁଖ୍ୟାଳୟ ଆଇଜି ଅସିତ ପାଣିଗ୍ରାହୀ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଫିସରମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର