ଜଗତପୁରରେ ୩ ମୋବିଲ୍‌ କାରଖାନାରେ ଚଢ଼ଉ : ୫୦ ଲକ୍ଷର ନକଲି ତେଲ ଜବତ

ନଡ଼ିଆ ତେଲରୁ ପ୍ରସ୍ତୁତ ‌ହେଉଥିଲା ବାଇକ୍ ଇଂଜିନ ଅଏଲ୍‌, ମାଷ୍ଟରମାଇଣ୍ଡ୍ ବାବାଜୀ ଗିରଫ, କାର୍ପଟଦାର୍‌ ପବନ ଫେରାର

କଟକ-ଜଗତପୁର : ଜଗତପୁର ଭୟରପୁରରେ ଧରାପଡ଼ିଛି ୩ଟି ନକଲି ମୋବିଲ୍ କାରଖାନା। ପୁଲିସ ଆଜି ଏହି ୩ଟି କାରଖାନା ଉପରେ ଚଢ଼ଉ କରି ପ୍ରାୟ ୨୫ ହଜାର ଲିଟର ନକଲି ତେଲ, ୫୦୦ରୁ ଅଧିକ ଡବା, ଡ୍ରମ୍‌, ୩ଟି ମୋଟର, ୫ ଫିଲଟର‌୍‌, ନଡ଼ିଆ ତେଲ୍‌, ରଙ୍ଗ ଆଦି ଜବତ କରିଛି। ଜବତ ତେଲର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ତେବେ ଏହି ବେଆଇନ ଚୋରା କାରସାଦି ପଛରେ ଥିବା ମାଷ୍ଟର‌୍‌ମାଇଣ୍ତ୍‌ ବାବାଜୀ ସାହୁ(୪୫)କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟତମ କ‌ାର୍ପଟଦାର୍ ପବନ ଏବ˚ ସହଯୋଗୀମାନେ ଫେରାର ହୋଇଯାଇଛନ୍ତି। ବାବାଜୀକୁ ଗିରଫ ପରେ ଓଡ଼ିଶାରେ ଚାଲିଥିବା ନକଲି ତେଲ କାରବାର ସମ୍ପର୍କରେ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। କେବଳ ଓଡ଼ିଶା ନୁହେଁ, ପଡେ଼ାଶୀ ରାଜ୍ୟକୁ ମଧ୍ୟ ବାବାଜୀ ଦଲାଲଙ୍କ ମାଧ୍ୟମରେ ତେଲ ଚାଲାଣ କରୁଥିବା ପୁଲିସ ସୂଚନା ଦେଇଛି।

ସୂଚନାନୁଯାୟୀ, ଭୟରପୁରରେ ରହୁଥିବା ବାବାଜୀ ନିଜ ଘରେ ୩ଟି ନକଲି ଇଞ୍ଜିନ ଅଏଲ୍‌ କାରଖାନା ଖୋଲିଥିଲା। ଗତ ଏକ ବର୍ଷ ହେବ ସେ କାରଖାନା ଚଳାଇ ଆସୁଥିବା ବେଳେ ପୁଲିସ ତା’ କାରବାର ଉପରେ ଦୀର୍ଘ ଦିନ ହେବ ନଜର ରଖିଥିଲା। ଆଜି ଏସିପି ତ୍ରିନାଥ ମିଶ୍ରଙ୍କ ନେତୃତ୍ବରେ ୩ଟି ପୃଥକ ଟିମ୍‌ ସମାନ୍ତରାଳ ଭାବେ ଦିନ ପ୍ରାୟ ୨ଟା ବେଳେ ଚଢ଼ଉ କରିଥିଲେ। ବାବାଜୀର କାରଖାନାରେ କ୍ୟାଷ୍ଟ୍ରୋଲ୍‌, ଭିଡୋଲ୍‌, ସର୍ଭୋ, ଏଲ୍ଫ, ହିରୋ, ଗଲ୍ଫ ଭଳି ଦାମୀ ଇଞ୍ଜିନ ଅଏଲ୍‌ କମ୍ପାନିର ନକଲି ତେଲ ଦେଖି ପୁଲିସ ଟିମ୍‌ ତାଜୁବ ହୋଇଯାଇଥିଲା। କାରଖାନାରୁ ନକଲି ତେଲ ତିଆରିରେ ବ୍ୟବହୃତ କଞ୍ଚାମାଲ ନଡ଼ିଆ ତେଲ, ପୋଡ଼ା ମୋବିଲ୍‌, ଲେବୁଲ୍‌, ଜାର‌୍‌, ଡ୍ରମ୍‌ ଜବତ କରାଯାଇଛି। ପୋଡ଼ା ମୋବିଲ୍‌ କଟକର ବିଭିନ୍ନ ଗ୍ୟାରେଜ୍‌ରୁ ବାବାଜୀ କିଣୁଥିବା ବେଳେ ଲେବୁଲ୍‌, ଡବା ନିର୍ଦ୍ଦିଷ୍ଟ ଭାବେ କେଉଁ ନକଲି କମ୍ପାନି ଯୋଗାଇ ଦେଉଥିଲା, ସେ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପଟେ ପୁଲିସକୁ ବାବାଜୀ ନକଲି ତେଲ ପ୍ରସ୍ତୁତିର ଡେମୋ ଦେଖାଇଥିଲା। ପ୍ରଥମେ ନଡ଼ିଆ ତେଲରେ ଏକ କେମିକାଲ ମିଶାଯାଉଛି। ନଡ଼ିଆ ତେଲର ରଙ୍ଗ ଲାଲ ହେଇଯାଉଛି। ପରେ ତାକୁ ପୋଡ଼ା ମୋବିଲ୍‌ରେ ମିଶାଇବା ପରେ ମୋବିଲ୍‌ ଫିଲ୍ଟର ହେଇ ଅବିକଳ ଅସଲି ଇଞ୍ଜିନ ଅଏଲ୍‌ ପରି ଦେଖାଯାଉଛି। ସାଧାରଣ ଲୋକେ ସହଜରେ ଇଞ୍ଜିନ ଅଏଲ୍‌ ଅସଲି କି ନକଲି ଚିହ୍ନଟ କରିବା କଷ୍ଟକର ହୋଇପଡ଼ିବ ବୋଲି ବାବାଜୀ ସୂଚନା ଦେଇଛି। କଟକ ସହର ସମେତ ନେମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭୁବନେଶ୍ବରର ବିଭିନ୍ନ ଅଞ୍ଚଳକୁ ତେଲ ଚାଲାଣ ହେଉଥିଲା। ବଜାରରେ ଏବେ ଇଞ୍ଜିନ ଅଏଲ୍‌ ଲିଟର‌୍‌ ପିଛା ୩୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାବାଜୀ ମାତ୍ର ୧୫୦ ଟଙ୍କାରେ ଏହି ନକଲି ମୋବିଲ୍ ବଜାରକୁ ଛା଼ଡ଼ୁଥିଲା। ଗୋଟିଏ ଲିଟର‌୍‌ ତେଲ ତିଆରି କରିବାକୁ ମାତ୍ର ୫୦ ଟଙ୍କା ଖର୍ଚ୍ଚ କରି ଲକ୍ଷାଧିକ ଟଙ୍କାର ଲାଭ ଉଠାଉଥିଲେ। ଅନ୍ୟପଟେ ତାକୁ ପବନ ନାମଧାରୀ ବ୍ୟକ୍ତି ନକଲି ତେଲ ତିଆରି କରିବାର କୌଶଳ ଶିଖାଇଥିବା ସେ ପୁଲିସକୁ ସୂଚନା ଦେଇଛି।

ସମ୍ବନ୍ଧିତ ଖବର