ପୁଣି କଳା ପଲ୍‌ସର ଆତଙ୍କ : ଥାନା ସାମ୍ନାରୁ ଛଡ଼ାଇନେଲେ ୬ଲକ୍ଷ ଟଙ୍କା

କଟକ : କଟକରେ ପୁଣି କଳା ପଲ୍‌ସର ଆତଙ୍କ ଦେଖାଦେଇଛି। ଆଜି ଅପରାହ୍ନ ପ୍ରାୟ ୪ଟା ବେଳକୁ ମଧୁପାଟଣା ଥାନା ସମ୍ମୁଖରୁ ଦୁଇ ଜଣ ଦୁବୃର୍ତ୍ତ ୬ଲକ୍ଷ ଟଙ୍କା ଲୁଟ୍‌ କରି ଫେରାର୍‌ ହୋଇଯାଇଛନ୍ତି। ଏସଂକ୍ରାନ୍ତରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁରର ସ୍ୱର୍ଗତ ପ୍ରଦୀପ୍ତ ରାଉତରାୟଙ୍କ ସ୍ତ୍ରୀ ଝୁନୁ ରାଉତରାୟ ଓ ତାଙ୍କ ଭାଇ ଜିତେନ୍ଦ୍ର ସ୍ୱାଇଁ ଘର କାମ ପାଇଁ ଅରୁଣୋଦୟ ନଗରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କରୁ ୬ଲକ୍ଷ ଟଙ୍କା ଉଠାଇ ବାଇକ୍‌ (ଓଆର୍‌୨୧ଡି୭୮୨୨) ଯୋଗେ ଘରକୁ ଫେରୁଥିଲେ। ଝୁନୁଙ୍କ ସ୍ୱାମୀ ପ୍ରଦୀପ କଟକ ଓଏସ୍‌ଏପି ଷଷ୍ଠ ବାଟାଲିଅନ୍‌ରେ ପୂର୍ବରୁ କାର୍ଯ୍ୟ କରୁଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। କଟକରେ ରହୁଥିବାବେଳେ ଉକ୍ତ ଏସ୍‌ବିଆଇ ଶାଖାରେ ତାଙ୍କର ଆକାଉଣ୍ଟ ଖୋଲାଯାଇଥିଲା। ଆକାଉଣ୍ଟରେ ଜମାଥିବା ଟଙ୍କାରୁ ୬ଲକ୍ଷ ଟଙ୍କା ଉଠାଇବା ପାଇଁ ଝୁନୁ ତାଙ୍କ ଭାଇ ଜିତେନ୍ଦ୍ରଙ୍କ ସହ କଟକ ଆସିଥିଲେ।

ଝୁନୁଙ୍କ ଭ୍ୟାନିଟି ବ୍ୟାଗରେ ଉକ୍ତ ଟଙ୍କା ରଖାଯାଇଥିବା ଜାଣିପାରି ଦୁଇ ଜଣ ଦୁର୍ବୃର୍ତ୍ତ କଳା ପଲ୍‌ସରରେ ସେମାନଙ୍କ ପିଛା କରିଥିଲେ। ମଧୁପାଟଣା ଥାନା ସାମ୍ନାରେ ଉଭୟ ହୋଇଥିଲାବେଳେ ଜିତେନ୍ଦ୍ର ଓ ଝୁନୁଙ୍କଠୁ ଦୁର୍ବୃର୍ତ୍ତମାନେ ଭ୍ୟାନିଟି ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଫଳରେ ଝୁନୁ ବାଇକ୍‌ରୁ ତଳେ ପଡ଼ିଯିବାରୁ କେବଳ ବ୍ୟାଗ ଫିତା ତାଙ୍କ ହାତରେ ରହିଥିଲା ଓ ଦୁର୍ବୃର୍ତ୍ତମାନେ ବ୍ୟାଗ ନେଇ ଫେରାର୍‌ ହୋଇଯାଇଥିଲେ। ଜିତେନ୍ଦ୍ର ସେମାନଙ୍କ ପିଛା କରିଥିଲେ ବି ପାଖରେ ପହଞ୍ଚିପାରିନଥିଲେ। ଦୁର୍ବୃର୍ତ୍ତମାନେ ରାଜେନ୍ଦ୍ରନଗର ରାସ୍ତା ଦେଇ ଭୁବନେଶ୍ୱର ଆଡକୁ ଚାଲିଯାଇଥିବା ଅଭିଯୋଗରେ କୁହାଯାଇଛି। ଏସଂକ୍ରାନ୍ତରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ବ୍ୟାଙ୍କ୍‌କୁ ଯାଇ ତଦନ୍ତ ଆରମ୍ଭ କରିଥିଲାବେଳେ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛି। ଏଥସହିତ ଅଭିଯୋଗକାରୀଙ୍କ ସହିତ ଆଉ କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ କଲ୍‌ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଥିବା ଥାନା ଅଧିକାରୀ ତେରୋସ୍କୋଭା ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର