କଟକ ବଡ଼ ମେଡିକାଲରେ ବଢୁଛି ସମସ୍ୟା

ଅଧୀକ୍ଷକଙ୍କ ସମେତ ୯୫ ଡାକ୍ତର ପଦ ଖାଲି / ୫୫୪ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ ଖାଲି

କଟକ : ରାଜ୍ୟର ସର୍ବବୃହତ ସରକାରୀ ହସ୍ପିଟାଲ ରୂପେ ପରିଗଣିତ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏବେ ଖାଲି ପଡିଛି ଅଧାରୁ ଅଧିକ ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ପ୍ରଥମ ଶ୍ରେଣୀ ପଦ। ଗଲା ୬ ମାସ ହେଲା ହସ୍ପିଟାଲରେ ସ୍ଥାୟୀ ଅଧୀକ୍ଷକ ନାହାନ୍ତି। ତୃତୀୟ ଓ ଚତୁର୍ଥ ଶ୍ରେଣୀ ପାହ୍ୟାର ୧୧୦୯ ପଦବିରୁ ୫୫୪ ପଦ ଖାଲି ପଡିଛି। ରାଜ୍ୟର ସବୁଠୁ ଅଧିକ ନିର୍ଭରଶୀଳ ସରକାରୀ ହସ୍ପିଟାଲର ଏଭଳି ସ୍ଥିତି ରୋଗୀଙ୍କ ପାଇଁ ସମସ୍ୟାର କାରଣ ହୋଇଛି।

କଟକ ବଡ ମେଡିକାଲରେ ରୋଗ ଚିକିତ୍ସା ଓ ବିଭିନ୍ନ ପରୀକ୍ଷା ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ମେସିନ ରହିଛି। କିନ୍ତୁ ତାହାକୁ ଚଳାଇବା ପାଇଁ ଅପରେଟର, ଟେକ୍ନିସିଆନ୍‌ ନାହାନ୍ତି। ଗୋଟିଏପଟେ ରୋଗୀ ସ˚ଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବା ବେଳେ ପରୀକ୍ଷା ଓ ଚିକିତ୍ସା ପାଇଁ ରୋଗୀଙ୍କ ଲମ୍ବା ଲାଇନ ଲାଗୁଛି। ଅଧିକା˚ଶ ରୋଗୀ ସେବା ନପାଇ ଫେରୁଥିବାରୁ ଏହାର ସୁଯୋଗ ନେଇ ଦଲାଲମାନେ ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି।

ଏସ୍‌ସିବିରେ ୩୭୯ଜଣ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ପଦ ରହିଛି। କିନ୍ତୁ ଅଛନ୍ତି ୨୮୪ ଜଣ। ଅର୍ଥାତ ୯୫ଟି ବିଶେଷଜ୍ଞ ଡାକ୍ତର ପଦ ଖାଲି ପଡିଛି। ସେହିପରି  ଗ୍ରୃପ ‘ଏ’ ବର୍ଗର ଅଧୀକ୍ଷକଙ୍କ ସମେତ ଆସିଷ୍ଟାଣ୍ଟ ପ୍ରଫେସର ପଦ ୫୧ ଥିବା ବେଳେ ଅଛନ୍ତି ୨୪ଜଣ । ୪ ଜଣ ସିଏମ୍‌ଓଙ୍କ ସ୍ଥାନରେ ମାତ୍ର ଜଣେ ରହିଛନ୍ତି।  ଅନ୍ୟପଟେ ଗ୍ରୁପ ‘ବି’ ବର୍ଗରେ ଚିଫ୍‌ ମାଟ୍ରନ, ପ୍ରିନ୍‌ସିପାଲ ଟିଉଟର‌୍‌ ପଦ ଖାଲି ପଡିଛି। ଗ୍ରୁପ ‘ସି’ ବର୍ଗର ୫୭ଟି ବିଭାଗରେ ୩୩୬ ଜଣ କର୍ମଚାରୀ ରହିବା କଥା। ହେଲେ ସେଥିରୁ ୮୦ ପଦ ଖାଲି ପଡିଛି। ନର୍ସି˚ ବିଭାଗରେ ମାଟ୍ରନ୍‌, ଆସିଷ୍ଟାଣ୍ଟ ମାଟ୍ରନ, ଵାର୍ଡେନ୍‌  ପଦ ଖାଲି ପଡିଛି। ଷ୍ଟାଫ୍‌ ନର୍ସ ୯୪୦ ଜଣ ରହିବା ବଦଳେରେ ଅଛନ୍ତି ୯୦୪। ଏହି ବିଭାଗରେ ୧୦୨୯ଟି ମ˚ଜୁରୀପ୍ରାପ୍ତ ପଦବି ଥିବାବେଳେ ୬୨ଟି ପଦ ଖାଲି ପଡିଛି। ହେଲେ ଗ୍ରୁପ ‘ଡ଼ି’ ବର୍ଗରେ ୫୫୪ ପଦ ଖାଲି ପଡିଥିବାରୁ ଗୁରୁତରଭାବେ ରୋଗୀ ସେବା ପ୍ରଭାବିତ ହେଉଛି।

ସମ୍ବନ୍ଧିତ ଖବର