ହାଇକୋର୍ଟରେ ଶିକ୍ଷା ସହାୟକ ନିଯୁକ୍ତି ମାମଲା: ସର୍ବାଧିକ ୩୨ ବର୍ଷ ବୟସସୀମା ନିଷ୍ପତ୍ତି କାଏମ୍‌

0 66

କଟକ: ଶିକ୍ଷା ସହାୟକ ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ୩୨ ରହିବ। ସରକାରଙ୍କ ନୀତିଗତ ନିଷ୍ପତ୍ତିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ। ଅନ୍ୟପଟେ କିନ୍ତୁ ଶିକ୍ଷା ସହାୟକ ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ପ୍ରତିଶତ ନମ୍ବର ସଂପର୍କରେ କିନ୍ତୁ ସରକାର ସାନି ନିଷ୍ପତ୍ତି ନେବେ। ଶିକ୍ଷା ସହାୟକ ନିଯୁକ୍ତି ବିଜ୍ଞପ୍ତିକୁ ନେଇ ରୁଜୁ ମାମଲାରର ଚୂଡାନ୍ତ ରାୟ ପ୍ରକାଶ କରି ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦ ଆଜି ଏ ପ୍ରକାର ନିର୍ଦ୍ଦେଶ ଦେବା ସହ ମୋଟାମୋଟି ଭାବେ ମାମଲାରେ ସିଧାସଳଖ ହସ୍ତକ୍ଷେପ ନ କରି ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି। ୨୦୧୬, ଡିସେମ୍ବର ୨୬ରେ ପ୍ରକାଶିତ ଶିକ୍ଷା ସହାୟକ ନିଯୁକ୍ତି ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୨ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଅନ୍ୟ କେତେକ ସର୍ତ୍ତ ରଖାଯାଇଥିଲା। ସେସବୁକୁ ଚାଲେଞ୍ଜ କରି ରୁଜୁ ଶତାଧିକ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ଆଜି ମାମଲା ଗୁଡିକର ଚୂଡାନ୍ତ ରାୟ ପ୍ରକାଶ ପାଇଛି। କିନ୍ତୁ ପୂର୍ବ ବର୍ଷ ଗୁଡିକ ଭଳି ଏଥର ମଧ୍ୟ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୪୨ ବର୍ଷ ଧାର୍ଯ୍ୟ କରିବାକୁ ପ୍ରାର୍ଥନା କରି ଦାୟର ମାମଲା ଗୁଡିକୁ ଖଣ୍ଡପୀଠ ଖାରଜ କରିଛନ୍ତି।

ମାମଲାରେ ଦାଖଲ ଜବାବରେ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡିଶା ଏଲିମେଣ୍ଟାରି ଏଜୁକେସନ୍‌(ମେଥଡ ଅଫ୍‌ ରିକ୍ରୁଟମେଣ୍ଟ ଆଣ୍ଡ୍‌ କଣ୍ଡିସନ୍ସ ଅଫ୍‌ ସର୍ଭିସ ଅଫ୍‌ ଟିଚର୍ସ ଆଣ୍ଡ୍‌ ଅଫିସର୍ସ) ଆମେଣ୍ଡମେଣ୍ଟ ରୁଲ୍ସ, ୨୦୧୪ ଓ ଓ ଓଡିଶା ସିଭିଲ ସର୍ଭିସେସ(ଫିକ୍ସେସନ୍‌ ଅଫ୍‌ ଅପର ଏଜ୍‌ ଲିମିଟ) ରୁଲ୍ସ ଅନୁସାରେ ସର୍ବାଧିକ ବୟସ ସୀମା ୩୨ ଧାର୍ଯ୍ୟ କରାଯାଇଛି ବୋଲି କୁହାଯାଇଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଏହି ନିୟମ ସ୍ଥାୟୀ ଶିକ୍ଷକଙ୍କ ପାଇଁ ପ୍ରଯୁଜ୍ୟ। ସର୍ବଶିକ୍ଷା ଅଭିଯାନ ଅଧୀନରେ ନିଯୁକ୍ତି ପାଇବାକୁ ଥିବା ଶିକ୍ଷା ସହାୟକଙ୍କ ପାଇଁ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ବିଜ୍ଞପ୍ତିରେ ୨୦୧୬-୧୭ ବର୍ଷରେ ୧୪ ହଜାର ୮୭ଟି ଶିକ୍ଷା ସହାୟକ ପଦବି ପୂରଣ ହେବ ବୋଲି ସୂଚନା ଦିଆଯାଇଥିବା ବେଳେ ୨୦୧୪-୨୦୧୫ ବର୍ଷର ଖାଲି ପଡିଥିବା ପଦବି ଏଥି ମଧ୍ୟରେ ଅନ୍ତର୍ଭୁକ୍ତ। ପୁରୁଣା ବର୍ଷର ଖାଲିଥିବା ୭୦୬୨ ପଦବି ଏଥିରେ ଅନ୍ତର୍ଭୁକ୍ତ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ଯୁକ୍ତିକୁ ଖଣ୍ଡପୀଠ ଗ୍ରହଣ କରି ନାହାନ୍ତି। ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ଧାର୍ଯ୍ୟ କରାଯିବା ସରକାରୀ ନୀତି ନିଷ୍ପତ୍ତି। ନିୟମ ଅନୁସାରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଏଥିରେ ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ଶିକ୍ଷା ସହାୟକ ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ମୋଟ ପଦବିର ୬୦ ପ୍ରତିଶତରେ ବିଜ୍ଞାନ ପାସ୍‌ କରିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ଓ ଅବଶିଷ୍ଟ ୪୦ ପ୍ରତିଶତରେ କଳା ଓ ବାଣିଜ୍ୟ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ ବୋଲି ରଖାଯାଇଥିବା ସର୍ତ୍ତରେ ହାଇକୋର୍ଟ ହସ୍ତକ୍ଷେପ କରିବା ପାଇଁ ମନା କରିଛନ୍ତି। ଗୁଣାତ୍ମକ ଶିକ୍ଷା ପାଇଁ ସରକାର ନୀତି ପ୍ରଣୟନ କରୁଥିବା ବେଳେ ଏଥିରେ କୌଣସି ଅନିୟମିତତା ନଥିଲେ ଅଦାଲତି ହସ୍ତକ୍ଷେପ ଆବଶ୍ୟକ ନାହିଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ସେହିଭଳି ଅଣତାଲିମପ୍ରାପ୍ତ କିନ୍ତୁ ଓଟିଇଟି ପାସ୍‌ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଅଂଶ ଗ୍ରହଣ ପାଇଁ ନିର୍ଦ୍ଦେଶ ପ୍ରାର୍ଥନା କରି ଦାୟର ଆବେଦନ ଗୁଡିକୁ ଖଣ୍ଡପୀଠ ଖାରଜ କରିଛନ୍ତି।

ଅନ୍ୟପକ୍ଷରେ ଜଣେ ପ୍ରାର୍ଥୀଙ୍କ ଉଚ୍ଚମାଧ୍ୟମିକ/ ସ୍ନାତକରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସର୍ତ୍ତକୁ ଚାଲେଞ୍ଜ କରି ରୁଜୁ ମାମଲା ଗୁଡିକର ଶୁଣାଣି କରି ଖଣ୍ଡପୀଠ ଏ ପ୍ରସଂଗରେ ରାଜ୍ୟ ସରକାର ସାନି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏପରି ସର୍ତ୍ତ ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେସନ(ଏନସିଟିଇ)ର ୨୦୧୧, ଜୁଲାଇ ୨୯ର ବିଜ୍ଞପ୍ତିକୁ ଉଲ୍ଲଘଂନ କରୁଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଶିକ୍ଷା ସହାୟକ ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପୂର୍ବରୁ ଏନସିଟିଇ ନିୟମାବଳୀକୁ ଆଧାର କରି ରାଜ୍ୟ ସରକାର ଏ ପ୍ରସଂଗରେ ସାନି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସର୍ତ୍ତ ଦ୍ୱାରା ବିଇଡି ଓ ଓଟଇଟି ପାସ୍‌ କରିଥିବା ବହୁ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡୁଛନ୍ତି ବୋଲି ଦାୟର ଆବେଦନ ଗୁଡିକରେ ଦର୍ଶାଯାଇଥିଲା। ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଗଣଶିକ୍ଷା ବିଭାଗ ବରିଷ୍ଠ ଷ୍ଟାଣ୍ଡିଂ କାଉନସିଲ ଶିଶିର ଦାସ ଓ ଷ୍ଟାଣ୍ଡିଂ କାଉନସିଲ ସରୋଜକାନ୍ତ ସାମଲ ମାମଲା ପରିଚାଳନା କରୁଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୬-୧୭ ବର୍ଷରେ ୧୪ ହଜାର ୮୭ଟି ଶିକ୍ଷା ସହାୟକ ପଦବି ପୂରଣ ପାଇଁ ୨୦୧୬, ଡିସେମ୍ବର ୨୬ରେ ପ୍ରକାଶିତ ବିଜ୍ଞପ୍ତିରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୨ ବର୍ଷ ରଖାଯାଇଥିଲା। ଏଥି ସହିତ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ନିୟମ ଅନୁସାରେ ବୟସ କୋହଳ ସୁବିଧା ପାଇ ପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ଗତ ଥରର ବିଜ୍ଞପ୍ତିରେ ଥିବା ୪୨ ବର୍ଷ ସର୍ବାଧିକ ବୟସ ସୀମା ମାନଦଣ୍ଡ ଓ ଅନ୍ୟ କେତେକ ନିୟମରେ ପରିବର୍ତ୍ତନ କରାଯାଇଥିଲା। ନୂତନ ନିୟମ ଦ୍ୱାରା ବହୁ ଯୋଗ୍ୟ ପ୍ରାର୍ଥୀ ଏହି ପଦବି ପାଇଁ ଆବେଦନ କରିବାରୁ ବଞ୍ଚିତ ହେବେ। ବିଇଡି ଓ ଓଟିଇଟି ପାସ୍‌ କରି ବହୁ ଦିନ ହେବ ଅପେକ୍ଷା କରି ରହିଥିବା ପ୍ରାର୍ଥୀମାନେ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡିବେ। ପୂର୍ବର ନିୟମ ଏଥର ମଧ୍ୟ ଲାଗୁ କରାଯାଉ ବୋଲି ଦର୍ଶାଇ ଶତାଧିକ ଅଶାୟୀ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା ଗୁଡିକର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ରାଜ୍ୟ ଗଣଶିକ୍ଷା ବିଭାଗ ଓ ଓପେପାକୁ ନୋଟିସ୍‌ ଜାରି କରି ଜବାବ ତଲବ କରିଥିଲେ। ୨୦୧୭, ଅକ୍ଟୋବର ୧୭ରେ ହାଇକୋର୍ଟରେ ଏ ସଂପର୍କିତ ମାମଲା ଗୁଡିକର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.