ବୋହୂ ତଥା ଶାଳୀ କଲେ ଅଭିଯୋଗ, ପୁଅ ଗଲା ଜେଲ୍‌

ବାପ-ପୁଅ ଦୁଇ ସଢ଼ୁ

ଫୁଲନଖରା : ବାପା-ପୁଅ ଦୁଇ ସଢୁ। ଗଲା ୪ ବର୍ଷ ହେଲା ସେମାନେ ଗୋଟିଏ ଛାତ ତଳେ ଏଭଳି ସଂପର୍କରେ ରହି ଆସୁଛନ୍ତି। ହେଲେ ହଠାତ ସଂପର୍କ ବିଗିଡିଲା। ପୁଅର ପତ୍ନୀ ଥାନାରେ କଲେ ନିର୍ଯାତନା ଅଭିଯୋଗ। ସେ ନିଜର ଶ୍ୱଶୁର ତଥା ଭିଣୋଇଙ୍କ ପକ୍ଷରେ ରହି ସ୍ୱାମୀ ବିରୋଧରେ ଅଭିଯୋଗ ଆଣିବା ପରେ ପୁଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଏଭଳି ବିଚିତ୍ର ପାରିବାରିକ ସଂପର୍କ ଓ ଗଣ୍ଡଗୋଳ ଘଟଣା କଟକ ସଦର ଥାନା ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ  ସଦର ଥାନା ଗୋପାଳପୁର ଗ୍ରାମର ମନୋରଂଜନ ଶତପଥୀଙ୍କୁ ଏବେ ୫୨ ବର୍ଷ। ତାଙ୍କର ପ୍ରଥମ ପତ୍ନୀଙ୍କ ପରଲୋକ ଘଟିଛି। ପ୍ରଥମ ପତ୍ନୀଙ୍କ ଔରସରୁ ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଝିଅ ବାହା ହୋଇଯାଇଥିବା ବେଳେ ପୁଅ ମୀନକେତନଙ୍କୁ ଏବେ ୨୪ ବର୍ଷ। କିନ୍ତୁ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ମନୋରଂଜନ ୨୦୧୨ରେ ଖୁଣ୍ଟୁଣୀ ଥାନା ନୂଆଶାସନ ଗ୍ରାମର ପ୍ରିୟମ୍ବଦା ଶତପଥୀ (୨୬)ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ପ୍ରିୟମ୍ବଦାଙ୍କ ସାନ ଭଉଣୀ ପ୍ରିୟାପୂର୍ଣ୍ଣା ଶତପଥୀ (୨୦)ଙ୍କ ସହ ମନୋରଂଜନଙ୍କ ପୁଅ ମୀନକେତନଙ୍କର ପ୍ରେମ ସଂପର୍କ ଥିଲା। ମୀନକେତନ ୨୦୧୩ରେ ପ୍ରିୟାପୂର୍ଣ୍ଣାଙ୍କୁ ଚଣ୍ଡୀଖୋଲ ମହାବିନାୟକ ମନ୍ଦିରରେ ବିବାହ କଲେ। ଫଳରେ ସେହି ଦିନରୁ ବାପା-ପୁଅ ପାଲଟି ଯାଇଥିଲେ ପରସ୍ପରର ସଢୁ। ଶାଳୀ ପାଲଟିଥିଲା ବୋହୂ। ଭିଣୋଇ ହୋଇଥିଲେ ଶ୍ୱଶୁର। ବଡ଼ ଭଉଣୀ ପାଲଟିଥିଲେ ସାନ ଭଉଣୀର ଶାଶୂ।  କିନ୍ତୁ ଏଭଳି ବିଚିତ୍ର ନୂଆ ସଂପର୍କକୁ ଗ୍ରହଣ କରି ସେମାନେ ସମସ୍ତେ ଗୋଟିଏ ଛାତ ତଳେ ରହି ଆସୁଥିଲେ।

 

କିନ୍ତୁ ଏବେ ପ୍ରିୟାପୂର୍ଣ୍ଣା ନିଜ ସ୍ୱାମୀ ମୀନକେତନଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ। ମୀନକେତନ ମଦ ପିଇ ତାଙ୍କୁ ମାଡ଼ ମାରୁଛନ୍ତି। ତାଙ୍କ ଶ୍ୱଶୁର ତଥା ଭିଣୋଇ ମନୋରଂଜନଙ୍କୁ ଏବଂ ବଡ ଭଉଣୀ ତଥା ଶାଶୂ ପି୍ରୟମ୍ବଦାଙ୍କୁ ବି ମଦ ପିଇ ମାଡ଼ ମାରୁଛନ୍ତି। ବାପଘରୁ ଅଧିକ ଲକ୍ଷେ ଟଙ୍କା ଆଣିବାକୁ ବାଧ୍ୟ କରୁଛନ୍ତି। ତାଙ୍କ ଇଚ୍ଛା ବିରୋଧରେ ବଳପୂର୍ବକ ତାଙ୍କ ସହ ଶାରୀରିକ ସଂପର୍କ ରଖୁଛନ୍ତି। ପ୍ରିୟାପୂର୍ଣ୍ଣାଙ୍କର ଏଭଳି ଅଭିଯୋଗକୁ ଗ୍ରହଣ କରି ସଦର ଥାନା ପୁଲିସ ମାମଲା ରୁଜୁ କରି ମୀନକେତନଙ୍କୁ ଗିରଫ କରିଛି। ଜାମିନ ନାମଂଜୁର ହେବାରୁ ମୀନକେତନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ମୀନକେତନ ଏଭଳି ଅଭିଯୋଗକୁ ମିଛ ବୋଲି କହିବା ସହିତ କିଛି ଆପତ୍ତିଜନକ କାର୍ଯ୍ୟ ସେ ଜାଣି ଯିବାରୁ ଫସିଥିବା କହୁଛନ୍ତି।

ସମ୍ବନ୍ଧିତ ଖବର