ବିଶ୍ବବିଦ୍ୟାଳୟ ସୁପରଭାଇଜର‌୍‌ଙ୍କୁ ହତ୍ୟା ଘଟଣା : ୟୁଟ୍ୟୁବ୍‌ ଭିଡ଼ିଓରୁ ହତ୍ୟାର ସୂତ୍ର

ମୁଖ୍ୟଅଭିଯୁକ୍ତ ଗିରଫ, ସ୍କୁଟି ଜବତ, ଅଧ୍ୟାପିକାଙ୍କ ସହ ସଂପର୍କ କାଳ ହେଲା, ମାରିବା ପାଇଁ ବିହାରରୁ ଆଣିଥିଲା ବଂଧୁକ

କଟକ : ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରର ହଷ୍ଟେଲ୍‌ ସୁପରଭାଇଜର‌୍‌ ସୁନିଲ ରଞ୍ଜନ ସାହୁଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଜଣେ ଅଧ୍ୟାପିକାଙ୍କ ସହିତ ସଂପର୍କ ଯୋଗୁ ହିଁ ସୁନିଲଙ୍କ ଜୀବନ ନେଇଛି। ଆଜି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ବ‌ାରଙ୍ଗ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଲାଲବାଗ ଥାନା ଆଲମଚାନ୍ଦ ବଜାରଳର ନିରଂଜନ ବେହେରା(୨୫)। ଅଭିଯୁକ୍ତ ନିରଂଜନ ସଂପୃକ୍ତ ଅଧ୍ୟାପିକାଙ୍କ ସ୍କୁଲ ସାଂଗ ଥିଲା ବୋଲି ପୁଲିସ କହିଛି।। ପୁଲିସ ତା’ ନିକଟରୁ ସ୍କୁଟି, ୯ଏମ୍‌ଏମ୍‌ ପିସ୍ତଲ, ଦୁଇଟି ଖାଲି ମାଗାଜିନ୍‌, ଗୋଟିଏ ଖୋଲା କ୍ୟାଟ୍ରିଜ୍‌, ହେଲମେଟ୍‌, ଆସସ୍‌ ମୋବାଇଲ୍‌ ଫୋନ୍ ଜବତ କରିଛି। କେବଳ ସେତିକି ନୁହେଁ, ସୁନିଲଙ୍କୁ ମାରିବା ପାଇଁ ଅଭିଯୁକ୍ତ ନିରଂଜନ ୟୁ-ଟ୍ୟୁବରୁ ଭିଡିଓ ଦେଖି ବିହାରର ମ‌ୁଙ୍ଗେରରୁ ବଂଧୁକ କିଣିଥିଲା ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ହଷ୍ଟେଲ୍‌ ସୁପରଭାଇଜର‌୍‌ ସୁନିଲ ରଞ୍ଜନ ସାହୁଙ୍କୁ ଗତ ନଭେମ୍ବର ୨୫ ତାରିଖରେ ହତ୍ୟା କରାଯାଇଥିଲା। ସୁନିିଲ ଢେଙ୍କାନାଳର ଏକ ଘରୋଇ କଲେଜରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଜଣେ ମହିଳା ଅଧ୍ୟାପିକାଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ଗୋଟିଏ କଲେଜରେ ଉଭୟ କାର୍ଯ୍ୟ କରୁଥିବାରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ତା ବଢ଼ିଯାଇଥିଲା। କିନ୍ତୁ ପରବର୍ତୀ ସମୟରେ ସୁନିଲ ସେଠାରୁ ଚାକିରି ଛାଡ଼ି ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରେ ହଷ୍ଟେଲ ସୁପର ଭାଇଜର୍ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହା ପରେ ବି ସମ୍ପୃକ୍ତ ଅଧ୍ୟାପିକାଙ୍କ ସହିତ ସେ ଯୋଗାଯୋଗ ରଖିବା ପାଇଁ ଚାହୁଁଥିଲେ। କିନ୍ତୁ ଅଧ୍ୟାପିକା ଚାହୁଁନଥିଲେ। ଏଭଳି ସ୍ଥିତିରେ ସୁନିଲ ତାଙ୍କୁ ମାନସିକ ନିର୍ଯାତନା ଏବ˚ ହଇରାଣ କରୁଥିବା ସମ୍ପର୍କରେ ସଂପୃକ୍ତ ଅଧ୍ୟାପିକା ତାଙ୍କ ସ୍କୁଲ ବେଳର ସାଙ୍ଗ ନିରଞ୍ଜନଙ୍କୁ ଜଣାଇଥିଲେ। ଏକଥା ଶୁଣି ନିରଞ୍ଜନ ପ୍ରତିଶୋଧ ପରାୟଣ ହୋଇ ସୁନିଲକୁ ସବୁ ଦିନ ପାଇଁ ସଫା କରିଦେବାକୁ ଯୋଜନା କରିଥିଲା। କିଭଳି ମାରିବ, ସେଥିପାଇଁ ସୁନିଲ ୟୁଟ୍ୟୁବ୍‌ ଏବ˚ ଅନ୍ୟ େଵବ୍‌ସାଇଟ୍‌ର ସହାୟତା ନେଇଥିଲା। ବିହାରର ମୁଙ୍ଗେର‌୍‌ରେ ବନ୍ଧୁକ ବିକ୍ରି ହେଉଥିବା ଇଣ୍ଟରନେଟ୍‌ରରୁ ଜାଣିବା ପରେ ନିଜେ ସୁନିଲ ମୁଙ୍ଗେର ଯାଇଥିଲା। ସେଠାରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଦୁଇଟି ମାଗାଜିନ୍‌, ୩ଟି ବୁଲେଟ କିଣିଥିଲା। ଓଡ଼ିଶା ଫେରିବା ପରେ ଗତ ଏକ ମାସ କାଳ ବାରଙ୍ଗରେ ସୁନିଲଙ୍କୁ ହତ୍ୟା କରିବାକୁ ପିଛା କରିଥିଲା ନିରଞ୍ଜନ।

ଗତ ୨୫ ତାରିଖରେ ନିରଞ୍ଜନ ଏକ ହୋଣ୍ତା ଡିଓ ସ୍କୁଟିରେ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ନିକଟକୁ ଆସିଥିଲା। ସୁନିଲ ବିଶ୍ବବିଦ୍ୟାଳୟରୁ ବାହାରି ହନୁମାନ ଛକ ନିକଟରେ ଥିବା ନେତାଲ ବଜାର ନିକଟକୁ ଆସିିଥିଲା। ପିଛା କରି ଆସୁଥିବା ନିରଞ୍ଜନ ତାଙ୍କ ନିକଟରେ ପହଞ୍ଚି ହଠାତ ଦୁଇ ରାଉଣ୍ତ ଗୁଳି ଫୁଟାଇଥିଲେ। ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ସୁନିଲ ଛଟପଟ ହେଉଥିବା ବେଳେ ନିରଞ୍ଜନ ବିଦ୍ୟାଧରପୁର ଦେଇ ଢେଙ୍କାନାଳ ପଳାଇଥିଲା। ପୁଲିସ ଘଟଣାର ତଦନ୍ତ କରି ତାକୁ ଲାଲବାଗରୁ ଗିରଫ କରିଛି। ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର‌୍‌ ସୁବେଦାର ଯାଦବଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ନିରଞ୍ଜନ ବିରୋଧରେ ଦଫା ୩୦୨ ଏବ˚ ୨୫ ଓ ୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର