‘ଆମେରିକୀୟ ଗିପ୍ଟ୍’ ଲୋଭ ଦେଖାଇ ୧୦ଲକ୍ଷ ଠକିନେବା ପଛର ଗୁମର : ଡାକ୍ତର ବାବୁ, ବିବାହ, କ୍ଲିନିକ୍
ଜେଲ୍ ଗଲେ ଦୁଇ ବିଦେଶୀ ଅପରାଧୀ, ନାଇଜେରିଆ ଦୂତାବାସକୁ ଚିଠି ଲେଖିବ କ୍ରାଇମବ୍ରାଞ୍ଚ୍
କଟକ : ‘ଆମେରିକୀୟ ଗିଫ୍ଟ’ରେ ଲୋଭ ଦେଖାଇ ବରିଷ୍ଠ ଜେଲ୍ ଅଧିକାରୀ ଏମ୍. ବିଶ୍ୱାଳଙ୍କଠାରୁ ୧୦ଲକ୍ଷ ଟଙ୍କା ଠକି ଗିରଫ ହୋଇଥିବା ଦୁଇ ନାଇଜେରିଆ ଅପରାଧୀ ଆଜି ଜେଲ୍ ଯାଇଛନ୍ତି। କ୍ରାଇମବ୍ରାଞ୍ଚ୍ ଏହି ଦୁଇ ବିଦେଶୀ ଅଭିଯୁକ୍ତ ଜୋଓ୍ଵଜୋ ଆଲେକ୍ସ ଏବଂ ଏରିକୁମେଙ୍କୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର କରିବା ପରେ ଝାରପଡ଼ା ଜେଲ୍କୁ ପଠାଇ ଦେଇଛି। ଏହାସହିତ ଗିରଫଦାରୀ ସଂପର୍କରେ ନାଇଜେରିଆ ଦୂତବାସକୁ ଜଣାଇବା ପାଇଁ କ୍ରାଇମବ୍ରାଞ୍ଚ୍ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେପଟେ ଠକେଇର ଶିକାର ହୋଇଥିବା ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ବରିଷ୍ଠ ମହିଳା ଜେଲ ଅଧିକାରୀ ଏମ୍. ବିଶ୍ୱାଳ ଆଜି ମୁହଁ ଖୋଲିଛନ୍ତି। କିଭଳି ସଂପୃକ୍ତ ଅପରାଧୀଙ୍କ ସହିତ ତାଙ୍କ ସଂପର୍କ ଯୋଡ଼ିହେଲେ ଏବଂ ଠକେଇରେ କିଭଳି ଫସିଗଲେ, ସେ ସଂପର୍କରେ ବର୍ଣ୍ଣନା କରିଛନ୍ତି। ତାଙ୍କ କହିବାନୁଯାୟୀ, ବିବାହ ପାଇଁ ସେ ଏକ ମାଟ୍ରିମୋନି ସାଇଟ୍ରେ ନିଜ ପ୍ରୋଫାଇଲ୍ ଖୋଲିଥିଲେ। କିନ୍ତୁ ଗିରଫ ଦୁଇ ଅଭିଯୁକ୍ତ ଜୋଓ୍ଵଜୋ ଆଲେକ୍ସ ଏବଂ ଏରିକୁମେ ଆମେରିକାର ନେଫ୍ରୋଲୋଜିଷ୍ଟ ଡାକ୍ତର ଭୂପିନ୍ଦର ସିଂହ ପରିଚୟରେ ନକଲି ଆକାଉଣ୍ଟ୍ ଖୋଲି ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ଚାଟିଂରେ ମନ ଲୋଭା କଥା କହି ତାଙ୍କ ବିଶ୍ୱାସ ଜିିତି ନେଇଥିଲେ। କିଛି ଦିନ ପରେ ହଠାତ୍ ବିବାହ ପ୍ରସ୍ତାବ ଦେଇଥିଲେ। ଏ କଥା ବି କହିଥିଲେ ଯେ ବିବାହ ପରେ ଓଡ଼ିଶାରେ ଏକ କ୍ଲିନିକ୍ ଖୋଲିବେ। ଯେହେତୁ ଓଡ଼ିଆ ଡାକ୍ତରଙ୍କ ପରିଚୟରେ ଦୁଇ ଅପରାଧୀ ଚାଟିଂ କରୁଥିଲେ, ତେଣୁ ସେମାନଙ୍କ ମନ୍ଦ ଉଦ୍ଦେଶ୍ୟ ସଂପର୍କରେ ଜାଣିପାରିନଥିଲେ ଠକାମିର ଶିକାର ଏହି ମହିଳା ଜେଲ୍ ଅଧିକାରୀ।
ଦୁଇ ଅଭିଯୁକ୍ତଙ୍କ ସହିତ କିଭଳି ସଂପର୍କ ଯୋଡ଼ି ହେଲା, ତା ପଛର କାରଣ ଉପରେ ମତ ରଖି ସେ କହିଛନ୍ତି, ମାଟ୍ରିମୋନି ସାଇଟ୍ରେ ଖୋଲିଥିବା ପ୍ରୋଫାଇଲ୍କୁ ଜାନୁଆରି ୨୩ରେ ଆମେରିକୀୟ ଡାକ୍ତର ଭୂପିନ୍ଦର ସିଂହ ନାମରେ ଏକ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ଆସିଥିଲା। ଏହାକୁ ଗ୍ରହଣ କରିନେବା ପରେ ଜାନୁଆରି ୨୩ର ଡାକ୍ତର ପରିଚୟରେ ସମ୍ପୃକ୍ତ ଦୁଇ ଅପରାଧୀ ତାଙ୍କ ସହିତ କଥା ହେବା ଆରମ୍ଭ କରିଥିଲେ। ଇଂରାଜୀରେ ଚାଟିଂ କରିଥିଲେ। ଧିରେ ଧିରେ କଥା ଆଗକୁ ବଢ଼ିବା ପରେ ଦିନେ ବିବାହ ପ୍ରସ୍ତାବ ପଠାଇଥିଲେ। ବିବାହ ପରେ ଓଡ଼ିଶାରେ ଏକ କ୍ଲିନିକ୍ ଖୋଲିବାର ଲୋଭ ଦେଖାଇଥିଲେ ଦୁଇ ଅଭିଯୁକ୍ତ। ଡାକ୍ତର ପରିଚୟରେ ଦୁହେଁ କଥା ଚାଟିଂ କରୁଥିବାରୁ ଏହାର ସାମନ୍ୟତମ ସୁରାକ୍ ପାଇପାରିନଥିଲେ ଏମ୍. ବିଶ୍ୱାଳ। ଏମିତି କରି କଥା ଆଗକୁ ବଢ଼ିବା ପରେ ଦିନେ ଏକ ଆମେରିକୀୟ ଗିଫ୍ଟ୍ ପଠାଇଥିବା କହିଥିଲେ। ବିବାହ ପୂର୍ବରୁ ଏହା ମୋ’ ତରଫରୁ ବଡ଼ ଉପହାର ବୋଲି ଦୁଇ ଅଭିଯୁକ୍ତ ଲୋଭ ଦେଖାଇ ଏମ୍. ବିଶ୍ୱାଳଙ୍କ ବିଶ୍ୱାସ ଜିଣିବାକୁ ଉଦ୍ୟମ କରିଥିଲେ। ଏହି କ୍ରମରେ ୩୧ ତାରିଖରେ ଏକ କୋରିଅର ଏଜେନ୍ସିର ଜଣେ ମହିଳା ତାଙ୍କୁ ଫୋନ୍ କରିଥିଲେ। ପାର୍ସଲ୍ରେ ବିପୁଳ ପରିମାଣରେ ଆମେରିକୀୟ ମୁଦ୍ରା ଥିବା ଏମ୍. ବିଶ୍ୱାଳଙ୍କୁ କହିଥିଲେ। କିନ୍ତୁ ଏତେ ପରିମାଣର ବିଦେଶୀ ମୁଦ୍ରା ଥିବାରୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଏକ୍ସାଇଜ୍ ଆଣ୍ଡ କଷ୍ଟମ୍ ଏବଂ ଦିଲ୍ଲୀ ପୁଲିସ ଜବତ କରିବା ସହ ଓଡ଼ିଶାରେ ପହଞ୍ଚି ତାଙ୍କୁ ଗିରଫ କରିବ ବୋଲି କେରିଅର୍ ସଂସ୍ଥା ସଂପୃକ୍ତ ମହିଳା କହି ଭୟଭୀତ କରାଇଥିଲା। ଏଥିରେ ଡରି ଯାଇ କ’ଣ କରିବା ବୋଲି ଏମ୍. ବିଶ୍ୱାଳ କହିବାରୁ ସେପଟୁ ୮ଟି ବ୍ୟାଙ୍କ୍ ଆକାଉଣ୍ଟରେ ଆର୍ଟିଜିଏସ୍ ଜରିଆରେ ଟଙ୍କା ପଠାଇବାକୁ କୁହାଯାଇଥିଲା। କଥା ମୁତାବକ, ସେ ପର୍ଯ୍ୟାୟକ୍ରମେ ଦିଆଯାଉଥିବା ଉକ୍ତ ୮ଟି ବ୍ୟାଙ୍କ୍ ଏକାଉଣ୍ଟ୍ରେ ୧୦ଲକ୍ଷରୁ ଅଧିକ ଟଙ୍କା ପଠାଇଥିଲେ। ପ୍ରଥମେ ୩୬ ହଜାର ଟଙ୍କା, ପରେ ୮୫ ହଜାର ଟଙ୍କା କରି ବିଭିନ୍ନ ପର୍ଯ୍ୟାୟରେ ମୋଟ ୧୦ ଲକ୍ଷ ୪୯ ହଜାର ୧୦ ଟଙ୍କା ପଠାଇଥିବା ସେ କହିଛନ୍ତି। କିନ୍ତୁ ପରେ ଯେତେବେଳେ ସଂପୃକ୍ତ ନମ୍ବରରେ ଯୋଗଯୋଗ କଲି, ଆଉ ସମ୍ଭବ ହେଲା ନାହିଁ। ଏଇଠୁ ମନରେ ସନ୍ଦେହ ଉପୁଜିବା ସହ ସାଇବର ଅପରାଧୀଙ୍କ ଜାଲରେ ଫସି ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଲି ବୋଲି ଏମ୍. ବିଶ୍ୱାଳ କହିଛନ୍ତି।
ମୋଟାମୋଟି ମୂଲ୍ୟବାନ ଗିଫ୍ଟ ଏବଂ ଓଡ଼ିଶାରେ କ୍ଲିନିକ୍ ଖୋଲିବା ସ୍ୱପ୍ନ ଦେଖାଇ ଦୁଇ ଅଭିଯୁକ୍ତ ନକଲି ଡାକ୍ତର ପରିଚୟରେ ମହିଳାଙ୍କୁ ଠକିିଥିବା କ୍ରାଇମ୍ବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି।