ଭୁବନେଶ୍ୱର ଭିଡିଓ ଭାଇରାଲ ଘଟଣା: ପୁନେରୁ ଅଭିଯୁକ୍ତ ଇଂଜିନିୟର ଗିରଫ

କଟକ : ଭୁବନେଶ୍ୱରର ଜଣେ ଯୁବତୀଙ୍କ ସହିତ ରହିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ସୋସିଆଲ୍‌ ମିଡ଼ିଆରେ ଭାଇରାଲ କରବା ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ସାଇବର ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ନିମାପଡ଼ାର ସିଦ୍ଧାନ୍ତ ମହାପାତ୍ର (୨୨)। ତାକୁ ଗତ ୧୦ ତାରିଖରେ ମହାରାଷ୍ଟ୍ରର ପୁନେରୁ ଗିରଫ କରାଯାଇଥିଲା। ପରେ ତାକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ କଟକ କ୍ରାଇମ୍‌ ବ୍ରାଞ୍ଚ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏଠାରୁ ଅଭିଯୁକ୍ତକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱରରେ ଏକ ଇଞ୍ଜିନିୟରିଙ୍ଗ କଲେଜରେ ପଢୁଥିବା ବେଳେ ଅଭିଯୋଗକାରୀ ଯୁବତୀଙ୍କ ସହିତ ଅଭିଯୁକ୍ତର ପ୍ରେମ ସଂପର୍କ ଗଢି ଉଠିଥିଲା। ବିବାହର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଯୁବକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ତେବେ ୨୦୧୫ ମସିହାରେ ହୋଇଥିବା ଅନ୍ତରଙ୍ଗ ମୁହୂର୍ତ୍ତକୁ କୌଶଳ କ୍ରମେ ମୋବାଇଲ୍‌ରେ ସୁଟିଂ କରିଥିଲା ଅଭିଯୁକ୍ତ ଜଣକ। ଗତ ଫେବ୍ରୁଆରି ମାସରେ ଉକ୍ତ ଭିଡିଓକୁ ଅଭିଯୁକ୍ତ ଭାଇରାଲ୍‌ କରିଥିଲା। ଏ ସଂପର୍କରେ ମେ’ ୧ ତାରିଖରେ ଯୁବତୀ ଜଣକ ସାଇବର ଥାନାରେ ଅଭିଯୋଗ କରିଥିଲେ। ସାଇବର ଥାନା ପକ୍ଷରୁ ଆଇପିସି ଦଫା ୩୪୧, ୩୨୩, ୩୭୬, ୫୦୬ ଏବଂ ଆଇଟି ଆଇନ୍‌ର ଧାରା ୬୬, ୬୬-ସି, ୬୬-ଇ, ୬୭-ଏରେ ମାମଲା ରୁଜୁ କରାଯାଇଛି। ପୁନେରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଅଭିଯୁକ୍ତକୁ ଠାବ କରି ସାଇବର ଥାନା ପୁଲିସ ତାକୁ ସେଠାରୁ ଗିରଫ କରିଛି।

ସମ୍ବନ୍ଧିତ ଖବର