ବିରୂପା ନଦୀକୂଳରୁ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର : ବ୍ୟବଚ୍ଛେଦ ରିପୋର୍ଟ; ଛୁରିରେ ଗଳାକାଟି ହତ୍ୟା

କଟକ-ଜଗତପୁର : ବିରୂପା ନଦୀକୂଳରୁ ଉଦ୍ଧାର ଅଚିହ୍ନା ବିବାହିତା ମହିଳାଙ୍କ ଗଳାକୁ ଛୁୁରିରେ କଟାଯାଇ ହତ୍ୟା କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳାଙ୍କ ମୃତ୍ୟୁ ରହସ୍ୟ ସଂପକରେ ପୁଲିସକୁ ଏ ପ୍ରକାର ତଥ୍ୟ ମିଳିଛି। ପୁଲିସ ଆଜି ଘଟଣାସ୍ଥଳରୁ ଏକ ଧାରୁଆ ଛୁରି ଜବତ୍‌ କରିଛି। ଜବତ୍‌ ଛୁରିରେ ଲମ୍ବା ଚୁଟିି ଏବଂ ରକ୍ତ ଲାଗିଥିବା ବେଳେ ଉକ୍ତ ଛୁରିକୁ ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରି(ଏଫ୍‌ଏସ୍‌ଏଲ୍‌)କୁ ପଠାଇବାକୁ ପୁଲିସ ଯୋଜନା କରୁଛି। ପ୍ରକୃତରେ ଏହି ଛୁରିରେ ଲାଗିଥିବା ଚୁଟି ଓ ରକ୍ତ ସମ୍ପୃକ୍ତ ମହିଳାଙ୍କର କି’ ନୁହେଁ, ପରୀକ୍ଷା ପରେ ତାହା ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ସୂଚନାନୁଯାୟୀ, ଗତ ୧୧ ତାରିଖ ଅପରାହ୍ନରେ ଜଗତପୁର ଥାନା ବିରୂପାନଦୀ କୂଳରୁ ୪୦ ବର୍ଷୀୟା ବିବାହିତ ମହିଳାଙ୍କ ଶବ ଉଦ୍ଧାର କରାଯାଇଥିଲା। ଆଜି ବ୍ୟବଛେଦ ରିପୋର୍ଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ ଜାଣିବାକୁ ପାଇଛି। ମହିଳାଙ୍କୁ ଦୁଷ୍କର୍ମ କରାଯାଇନାହିଁ, ବରଂ ଛୁରିରେ ତାଙ୍କ ବେକ କଟାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ସେପଟେ ଘଟଣାର ତଦନ୍ତ ପାଇଁ ଜଗତପୁର ଥାନା ଅଧିକାରୀ ବିରଞ୍ଚି ପତିଙ୍କ ନେତୃତ୍ୱରେ ଚାରିଟି ଟିମ୍‌ ଆସନ୍ତାକାଲି କଟକ ଓ ଭୁବନେଶ୍ୱର କମିସନରେଟ୍‌ ପୁଲିସ ସମେତ ବିଭିନ୍ନ ଗ୍ରାମାଞ୍ଚଳ ଥାନାରୁୁ ଗତ ଏକ ସପ୍ତାହ ମଧ୍ୟରେ କୌଣସି ଥାନାରେ ମହିଳାଙ୍କ ନିଖୋଜ ସମ୍ପର୍କିତ କୌଣସି ମାମଲା ରୁଜୁ ହୋଇଛି ନା ନାହିଁଁ, ତାହା ଯାଞ୍ଚ କରିବ। ଅନ୍ୟପଟେ ଯେଉଁ ସ୍ଥାନରୁ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି, ସେହି ଅଞ୍ଚଳକୁ ଜିଲ୍ଲା ବାହାରୁ କେଉଁ ମୋବାଇଲ ନମ୍ବର ପ୍ରବେଶ କରିଛି ଏବଂ ପରେ ଯାଇଛି, ତାକୁ ଖୋଜିବା ପାଇଁ ପୁଲିସ ସ୍ଥାନୀୟ ଅଞ୍ଚଳର ଟାଓ୍ଵାଟ୍‌ ଡମ୍ପ ମଗାଇଛି। ସେଥିରୁ ହୁଏତ ହତ୍ୟାକାରୀଙ୍କ ସମ୍ପର୍କରେ କିଛି ସୂଚନା ମିଳିପାରିବ ବୋଲି ପୁଲିସ ଆଶା କରୁଛି।

ସମ୍ବନ୍ଧିତ ଖବର