ମଙ୍ଗନ ପୂର୍ବରୁ ମଶାଣି : ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା

ଦୁଇ ଦିନ ପରେ ହୋଇଥାନ୍ତା ବାହାଘର

ଜଗତପୁର/ଚୌଦ୍ୱାର-ଗୁରୁଡିଝାଟିଆ : ଜଗତପୁର ଥାନା ବିରୂପା ବ୍ୟାରେଜ୍‌ ନିକଟରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଚୌଦ୍ୱାର ଅଞ୍ଚଳର ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫିଙ୍ଗି ଚାଲି ଯାଇଥିବା ବେଳେ ତାଙ୍କୁ ରକ୍ତ ଜୁଡୁୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ଘରୋଇ ହସ୍ପିଟାଲ ଓ ପରେ କଟକ ବଡ ଡାକ୍ତରଖାନା ନେଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦୁଇ ଦିନ ପରେ ସଂପୃକ୍ତ ଯୁବକଙ୍କର ବାହାଘର ହେବାର ଥିଲା। ଫଳରେ ଏଭଳି ଏକ ଘଟଣା ଚୌଦ୍ୱାର ଅଞ୍ଚଳରେ ଦୁଃଖଦ ପରିବେଶ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ ଚୌଦ୍ୱାର କପାଳେଶ୍ୱର ଅଞ୍ଚଳର ବାସିନ୍ଦା ଟେଲିଫୋନ ବିଭାଗ କର୍ମଚାରୀ କମଳ ବେହେରାଙ୍କର ଏକମାତ୍ର ପୁଅ ହେଉଛନ୍ତି ନିର୍ଝର ବେହେରା ଓରଫ ଲିଟିଲ୍‌ (୨୮)। ସେ ଭୁବନେଶ୍ୱରର ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲ୍‌ରେ ପ୍ରଶାସନିକ ଅଧିକାରୀଭାବେ କାମ କରୁଥିଲେ। ଲିଟିଲ୍‌ ଓ ତାଙ୍କ ଭଉଣୀଙ୍କର ବାହାଘର ଆସନ୍ତା ୧୦ ତାରିଖରେ ହେବାକୁ ଥିଲା। ଏଥିପାଇଁ ପ୍ରସ୍ତୁତି ଚାଲିବା ସହ ଘରେ ଥିଲା ଉତ୍ସବର ମାହୋଲ ଲାଗି ରହିଥିଲା। ଗତକାଲି ରାତିରେ ପରିବାର ଲୋକେ ବାହାଘରର ବିଭିନ୍ନ ସାମଗ୍ରୀ କିଣାକିଣି କରି ସନ୍ଧ୍ୟାରେ ଘରକୁ ଫେରି ଏକାଠି ହସଖୁସିରେ ବ୍ୟସ୍ତ ଥିଲେ। ରାତି ପ୍ରାୟ ୧୦ଟା ବେଳେ ଲିଟିଲ୍‌ଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଥିଲା। ସେ ନିଜ କାର୍‌ ଧରି ଘରୁ ବାହାରି ଆସିଥିଲେ। ସେ କୁଆଡେ ଗଲେ ବୋଲି ଜାଣିବାକୁ କମଳ ଫୋନ୍‌ରେ ପଚାରିବାରୁ ଲିଟିଲ୍‌ କହିଥିଲେ ଯେ ସେ ବିରୂପା ବ୍ୟାରେଜ ନିକଟରେ ଅଛନ୍ତି। କିନ୍ତୁ ଅଧିକ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କ ମୋବାଇଲ୍‌ ଫୋନ୍‌କୁ ପୁଣି ଫୋନ୍‌ କରିଥିଲେ ବି ଆଉ ଉତ୍ତର ମିଳି ନଥିଲା।

ଏଭଳି ସ୍ଥିତିରେ ଆଶଙ୍କା ହେବାରୁ କମଳ ବିରୂପା ବ୍ୟାରେଜ ପାଖକୁ ଆସିଥିଲେ। ସେଠାରେ ତାଙ୍କ କାର୍‌ଟି ପାର୍କିଂ ଲାଇଟ୍‌ସହ ଠିଆହୋଇଥିବା ବେଳେ ପୁଅକୁ ପାଇନଥିଲେ। ସେ ପୁଅର ୨ ଜଣ ସାଙ୍ଗଙ୍କୁ ଡକାଇ ଘଟଣାସ୍ଥଳରେ ଟର୍ଚ୍ଚ ପକାଇ ଖୋଜାଖୋଜି କରିଥିଲେ। ସେହି ସମୟରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଲିଟିଲ୍‌ଙ୍କ ସ୍ୱର ଶୁଣି କାର୍‌ଠାରୁ ଅଳ୍ପ ଦୂରରେ ଥିବା ଏକ ଜଙ୍ଗଲିଆ ବୁଦା ମୂଳରେ ତାଙ୍କୁ ଠାବ କରିଥିଲେ। ଲିଟିଲ୍‌ଙ୍କ ମୁଣ୍ଡ, ଆଖି, ହାତ, ଗୋଡ ସହ ଶରୀରର ବିଭିନ୍ନ ସ୍ଥାନକୁ କୌଣସି ମାରଣାସ୍ତ୍ରରେ ନୃଶଂସ ଭାବେ ହଣା ଯାଇଥିଲା। ଚୁଟି ଓପାଡ଼ି ଦିଆଯାଇଥିବା ବେଳେ ପଥରରେ ବି ଛେଚା ଯାଇଥିଲା। ପରିବାର ଲୋକ ଏଭଳି ଅବସ୍ଥାରେ ତାଙ୍କୁ ତୁରନ୍ତ ଏକ ଘରୋଇ ନର୍ସିଂହୋମକୁ ନେଇଯାଇଥିଲେ ବି ଅବସ୍ଥା ଅତି ଗୁରୁତର ଥିବାରୁ ସେଠାରୁ କଟକ ବଡମେଡିକାଲକୁ ପଠାଇ ଦିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଜଗତପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଚୌଦ୍ୱାର ପୌରପାଳିକା ୧୪ ନମ୍ବର ୱାର୍ଡ ମଣ୍ଡାପଡ଼ା କବରଖାନାରେ କବର ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ ସେହି ମଣ୍ଡାପଡ଼ା ଗ୍ରାମର ଯୁବତୀଙ୍କ ସହ ଲିଟିଲ୍‌ଙ୍କର ବିବାହ ହେବାର ଥିଲା। ସଂପୃକ୍ତ ଯୁବତୀ ଜଗତପୁର ଅଞ୍ଚଳରେ ଏକ କଲେଜ୍‌ରେ ଚାକିରି କରନ୍ତି। ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ହେଲା ତାହା ସ୍ପଷ୍ଟ ହୋଇ ନଥିଲେ ବି ଖୁବଶୀଘ୍ର ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। କିନ୍ତୁ ପରିବାର ଲୋକଙ୍କ କହିବା ଅନୁଯାୟୀ ଲିଟିଲ୍‌ଙ୍କର କାହା ସହ ଶତ୍ରୁତା ନଥିଲା। ତେଣୁ ଏଭଳି ସ୍ଥିତିରେ ଲିଟିଲ୍‌ଙ୍କୁ କିଏ ଫୋନ୍‌ରେ ଡକାଇଲା, ତାଙ୍କର ବିବାହ ହେବାକୁ ଥିବା ବେଳେ କୌଣସି ପ୍ରକାର ଏକତରଫା ପ୍ରେମ ସଂପର୍କରୁ ଏଭଳି ହତ୍ୟାକାଣ୍ଣ ହେଲା କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିବା ସହ ଲିଟିଲ୍‌ ବିବାହ କରିବାକୁ ଥିବା ଯୁବତୀଙ୍କୁ ମଧ୍ୟ ଜେରା କରିବାକୁ ପଦକ୍ଷେପ ନେଉଛି। ଅନ୍ୟପଟେ ଘଟଣାସ୍ଥଳରୁ ଏକ ପେନ୍‌ ଜବତ ହୋଇଥିବା ବେଳେ ଲିଟିଲ୍‌ଙ୍କ ମୋବାଇଲ୍‌ ଫୋନ୍‌ ଗାଏବ୍‌ ହୋଇଯାଇଛି। ଲିଟିଲ୍‌ଙ୍କ ଫୋନ୍‌ ସିଡିଆର୍‌ ମିଳିବା ପରେ ଶେଷ କଲ୍‌ ଯେଉଁ ନମ୍ବରରୁ ଆସିଛି, ତାହା ମୟୂରଭଞ୍ଜ ଅଞ୍ଚଳରେ ଜଣେ ଯୁବକଙ୍କ ନାମରେ ଥିବା ଜଣା ପଡିଛି। ସେହି ଆଧାରରେ ପୁଲିସ୍‌ ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର