ଗୋବିନ୍ଦପୁରରେ ଉତ୍ତେଜନା : ସ୍ତ୍ରୀ ସାମ୍ନାରେ ଘରୁ ଡାକି ନେଇ ସ୍ୱାମୀକୁ ହତ୍ୟା

ରାସ୍ତାରୋକ, ପୁଲିସ ଅଧିକାରୀଙ୍କୁ ଠେଲାପେଲା

କଟକ/କଣ୍ଟାପଡା : ଘରୁ ଡାକି ଆଣି କଥା ହେବା ଛଳରେ ଗୋଡ଼କୁ ଧଇଲା, ଗାମୁଛାରେ ଝିଙ୍କି ଧରି ମୋତେ ଛୁରୀରେ ଭୁସି ଚାଲିଲା….. । ମୃତ୍ୟୁ ପୂର୍ବରୁ ଏଭଳି ବୟାନ ଦେଇଛନ୍ତି ଗତରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା କଣ୍ଟାପଡ଼ା ବ୍ଲକ୍‌ ଗୋପାଳପୁର ଗ୍ରାମର ବିଘ୍ନେଶ୍ୱର ଓରଫ କାନ୍ଦୁରା ଭୋଇ।

ଗତକାଲି ରାତିରେ ସ୍ତ୍ରୀଙ୍କ ସାମନାରେ ଦୁର୍ବୃତ୍ତମାନେ କାନ୍ଦୁରାଙ୍କୁ ଆକ୍ରମଣ କରିଥିବା ବେଳେ ତାଙ୍କ ସ୍ତ୍ରୀ ହତ୍ୟାକାରୀଙ୍କ ଗୋଡ଼ ଧରି ମୁଣ୍ଡ ପିଟି ସେମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ନୃସଂଶ ଦୁର୍ବୃତ୍ତମାନେ ସ୍ତ୍ରୀ ସାମ୍ନାରେ ଅତି ନିର୍ମମଭାବେ କାନ୍ଦୁରାଙ୍କୁ ଲଗାତର ଭାବେ ଛୁରୀ ଭୁସି ଚାଲିଥିଲେ। ସ୍ତ୍ରୀ ଚିତ୍କାର କରି ଗାଁ ଦାଣ୍ଡରେ ସ୍ୱାମୀକୁ ବଂଚାଇବାକୁ ଦୌଡ଼ିବା ବେଳେ ଗାଁ ଲୋକ ଉଠିବା ପୂର୍ବରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଅନ୍ୟପଟେ ରାସ୍ତାରେ ପଡ଼ି କାନ୍ଦୁରା ଛଟପଟ ହେଉଥିବା ହେଉଥିବା ବେଳେ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲେ ବି ଆମ୍ବୁଲାନ୍ସ ଆସି ନଥିଲା। ଫଳରେ ଅଧଘଣ୍ଟାରୁ ଅଧିକ ସମୟ ରାସ୍ତାରେ ଛଟପଟ ହୋଇ କାନ୍ଦୁରା ଆଖି ବୁଜି ଦେଇଥିଲେ। ବିଧବା ମା’ ଓ ସ୍ତ୍ରୀ ସମ୍ମୁଖରେ କାନ୍ଦୁରା ଛଟପଟ ହୋଇ ଆଖି ବୁଜିବା ସହ ନିର୍ଦ୍ଦିଷ୍ଟ ଭାବେ ଦୁଇ ଜଣଙ୍କ ନାମ ସେମାନଙ୍କୁ କହିଥିଲେ।

ଏଭଳି ଘଟଣାକୁ ନେଇ ଗାଁରେ ଆଜି ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ, କ୍ଷତିପୂରଣ ଦାବି ଏବଂ ପୁଲିସ ଓ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଘଟଣାକୁ ନେଇ ରାସ୍ତାରେ ଶବ ରଖି ଗୋପାଳପୁର- ଗୋବିନ୍ଦପୁର ରାସ୍ତା ଅବରୋଧ କରିଥିଲେ। ଏପରିକି ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ଗୋବିନ୍ଦପୁର ଥାନା ଅଧିକାରୀ ଶରତ କୁମାର ସେଠୀଙ୍କୁ ଘଟଣାସ୍ଥଳରେ ଠେଲାପେଲା, ଧସ୍ତାଧସ୍ତି କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଅତିରିକ୍ତ ଏସ୍‌ପି, ଏସ୍‌ଡ଼ିପିଓ ଓ ବିଡ଼ିଓ ପହଞ୍ଚି ପ୍ରତଶ୍ରୁତିି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା।

କଣ୍ଟାପଡା ବ୍ଲକ୍‌ ଗୋପାଳପୁର ଗାଁ ୧୧ନମ୍ବର ଓ୍ଵାର୍ଡ଼ର ବାସିନ୍ଦା ହେଉଛନ୍ତିି ବିଘ୍ନେଶ୍ୱର ଭୋଇ ଓରଫ କାନ୍ଦୁରା। ପରିବାର କହିଲେ ସ୍ତ୍ରୀ, ତିନି ପୁଅ ଓ ବିଧବା ମା’। ଖାଇପିଇ ଘରେ ସମସ୍ତେ ଶୋଇଥିବାବେଳେ ହଠାତ୍‌ ଗତକାଲି ରାତି ପ୍ରାୟ ୧୨ଟାରେ କାନ୍ଦୁରାଙ୍କ ମୋବାଇଲକୁ ଫୋନ ଆସିଥିଲା। ଘର ବାହାରକୁ ଆସିବା ପାଇଁ କହି ସଂପୃକ୍ତ ବ୍ୟକ୍ତି ଫୋନ କାଟି ଦେଇଥିଲେ। କାନ୍ଦୁରା ଘରୁ ବାହାରି ଆସିବା ମାତ୍ରେ ଘର ବାହାରେ ବାଇକ୍‌ରେ ଅପେକ୍ଷା କରିଥିଲେ ଦୁଇଜଣ ଯୁବକ। କାନ୍ଦୁରାଙ୍କ ପଛେ ପଛେ ସ୍ତ୍ରୀ ମଧ୍ୟ ଆସିଥିଲେ। ହେଲେ ଆମର କଥା ଅଛି କହିବାରୁ ସ୍ତ୍ରୀ ଚାଲିଆସୁଥିବାବେଳେ ପାଟିତୁଣ୍ଡ ଶୁଭିଥିଲା। ଫଳରେ ସ୍ତ୍ରୀ ରୁନୁବାଳା ଫେରିଆସୁଥିବାବେଳେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ କାନ୍ଦୁରାଙ୍କ ପେଟକୁ ଛୁରୀ ଭୁସି ଚାଲିିଥିଲେ ଦୁର୍ବୃତ୍ତ। ସ୍ୱାମୀକୁ ଛାଡିଦେବା ପାଇଁ ରୁନୁବାଳା ସେମାନଙ୍କ ଗୋଡ ଧରି ନେହୁରା ହୋଇଥିଲେ ମଧ୍ୟ କିଛି ନଶୁଣି ସେମାନେ ଛୁରୀ ଭୁସି ଚାଲିଥିଲେ। ଘରଠାରୁ ମାତ୍ର ଶହେ ମିଟର ଦୂରରେ କୁକୁଡା ଫାର୍ମ ରାସ୍ତାରେ ବିଧବା ମା’, ସ୍ତ୍ରୀ ଓ ସାହି ବାସିନ୍ଦାଙ୍କ ସମ୍ମୁଖରେ ଅଧଘଣ୍ଟା ଧରି ଛଟପଟ ହୋଇଥିଲେ କାନ୍ଦୁରା।

ଆମ୍ବୁଲାନ୍ସ ଓ ପୁଲିସକୁ ଗ୍ରାମବାସୀ ଖବର ଦେଇଥିଲେ ବି କେହି ଆସି ନଥିଲେ। ବିଘ୍ନେଶ୍ୱରଙ୍କ ସ୍ତ୍ରୀ ରନୁବାଳା ବାଇକ୍‌ରେ ଆସିଥିବା ଦୁଇଜଣ ଦୁର୍ବୁତ୍ତଙ୍କୁ ଚିହ୍ନିପାରିଥିଲେ ଏବଂ ଏହି ଦୁଇଜଣ ପୁର୍ବରୁ ମଧ୍ୟ ତାଙ୍କ ଘରକୁ ଆସିଥିବାର ସେ ସୂଚନା ଦେଇଛନ୍ତି। ଗୋବିନ୍ଦପୁର ଥାନା ପୁଲିସ ଆଜି ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ ବି ଦୁର୍ବୃତ୍ତଙ୍କୁ ଧରି ପାରି ନାହିଁ। ଅଭିଯୁକ୍ତଙ୍କ ଘର ଜିଗ୍ନିିପୁର ବାଲିଆପଡ଼ା ବୋଲିି କୁହାଯାଉଛି। ଘଟଣାକୁ ନେଇ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ କଟକ ଅତିରିକ୍ତ ଏସ୍‌ପି. ନୃସିଂହ ଚରଣ ସ୍ୱାଇଁ, ଏସ୍‌ଡ଼ିପିଓ ଜିତେନ୍ଦ୍ର ଦଳେଇ, ବିଡ଼ିଓ ସିଦ୍ଧାର୍ଥ ଶଙ୍କର ସାହୁ ଧାରଣା ସ୍ଥଳରେ ପହଞ୍ଚ ରେଡ୍‌କ୍ରସ୍‌ ପାଣ୍ଠିରୁ ପୀଡିତ ପରିବାରକୁ ୧୦ ହଜାର ଟଙ୍କା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଗୋବିନ୍ଦପୁର ସରପଞ୍ଚ ଲଲାଟେନ୍ଦୁ ଦାଶ, ସମିତିସଭ୍ୟ ଜ୍ଞାନପୂର୍ଣ୍ଣ ବେହେରା, ଯୁବ ଦଳିତ ସଂଘ ସଭାପତି ଅଭିମନ୍ୟୁ ମଲ୍ଲିକ, ବିଜେପି ମଣ୍ଡଳ ସଭାପତି ବିଶ୍ୱମ୍ଭର ଜେନା, ବିଶୁ ଭୋଇଙ୍କ ସମେତ ଗ୍ରାମବାସୀ ଦୀର୍ଘ ୩ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତାରୋକ କରିଥିଲେ। ମଦ ବେପାରରେ ଟଙ୍କା ଦେଣନେଣକୁ ନେଇ କାନ୍ଦୁରାଙ୍କୁ ହତ୍ୟା କରାଯାଇଥିବା ଏସଡ଼ିପିଓ ଜିତେନ୍ଦ୍ର ଦଳେଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର