ବାତ୍ୟା ପାଇଁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନର ପ୍ରସ୍ତୁତି: ୩୪୪ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବେ ଲୋକେ

ଖୋର୍ଦ୍ଧା: ସାମ୍ଭାବ୍ୟ ସାମୁଦ୍ରିକ ଝଡ ‘ଫନି’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫନିର ପ୍ରଭାବ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଅଧିକ ଥିବାରୁ ୨ଟି ଓଡ୍ରାଫ ଟିମ ଓ ଗୋଟିଏ ଏନଡିଆରଏଫ ଟିମ ସହ ୩ ଶହ ସିଭିଲ ଡିଫେନସ୍‌ ଓ ଜିଲ୍ଲାର ପ୍ରତିଟି ବ୍ଲକରେ ୧୦ ଜଣ ଲେଖାଏଁ ନେହେରୁ ଯୁବକ ସଂଘର ସଦସ୍ୟ ରେସକ୍ୟୁ ଅପରେସନରେ ସାମିଲ ହେବେ।

ଜିଲ୍ଲାରେ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ମୋଟ ୫୧ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୨୯୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ବିଶେଷ କରି ଆଶ୍ରୟସ୍ଥଳୀ ମାନଙ୍କରେ ରନ୍ଧା ଖାଦ୍ୟ ଓ ସୁଖିଲା ଖାଦ୍ୟ ସହ ଔଷଧ ବ୍ୟବସ୍ଥା କରାଯାଇଛି। ମେ’ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ଉପରେ ରୋକ ଲଗାଯାଇଛି ବୋଲି ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ‘ଫୋନି’ ମେ’ ୩ ଅପରାହ୍ଣରେ ଓଡ଼ିଶା ଉପକୂଳ ଛୁଇଁପାରେ। ସ୍ଥଳ ଭାଗକୁ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୨୦୫ କିଲୋମିଟର ପବନ ବୋହିପାରେ। ତେଣୁ ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପୂର୍ବରୁ ପୂର୍ବତଟ ରେଳବାଇ ପକ୍ଷରୁ ଟ୍ରେନ୍‌ ଗୁଡ଼ିକ ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର