ଗାଈ-ଗୋରୁଙ୍କ କବଜାରେ ଡାବୁଗାଁ ଦୈନିକ ବଜାର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ରାଜ୍ୟ ରାଜପଥ ଉପରେ ଥିବା ମୁଖ୍ୟ ତାରିଣୀ ମନ୍ଦିର ଛକ, ଦୈନିକ ବଜାର ଓ ଷ୍ଟେଟବ୍ୟାଙ୍କ ରୋଡ ଉପରେ ବୁଲା ଗାଈ-ଗୋରୁମାନେ କବଜା କରି ଘଣ୍ଟା ଘଣ୍ଟା ରାସ୍ତା ଉପରେ ରହୁଛନ୍ତି। ଏହା ଦ୍ୱାରା କୁତ୍ରିମ ଟ୍ରାଫିକ ସମସ୍ୟା ସହ ବହୁ ଅସୁବିଧା ଦେଖା ଦେଉଛି। ଏହି ବୁଲା ଗାଈ-ଗୋରୁମାନଙ୍କୁ ମୁଖ୍ୟ ଛକ ରାସ୍ତା ଉପରୁ ହଟାଇବାକୁ ପଞ୍ଚାୟତ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ବର୍ତ୍ତମାନ ଚାଷ କାର୍ଯ୍ୟ ଚାଲୁ ଥିବାରୁ ଚାଷୀମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଜମିରେ ବ୍ୟସ୍ତ ରହୁଛନ୍ତି କିନ୍ତୁ ଗୋ-ଚାଷୀମାନେ ଗାଈମାନଙ୍କୁ କ୍ଷୀର ଦୁହିଲା ପରେ ରାସ୍ତାରେ ଛାଡି ଦେଉଛନ୍ତି। ସେହି ଗୋରୁମାନେ ବିଭିନ୍ନ ଜମିରେ ପସି ରୁଆ ଧାନ ଖାଇ ନଷ୍ଟ କରିବା ସହ ରାଜ୍ୟ ରାଜପଥ ଉପରେ ଆସି ଘଣ୍ଟା ଘଣ୍ଟା ପଡି ରହୁଛନ୍ତି।

ଏତିକିରେ ଗୋରୁମାନେ ସନ୍ତୁଷ୍ଟ ନ ହୋଇ ଦୈନିକ ବଜାରର ପନିପରିବା, ଫଳ ଓ ତେଜରାତି ଦୋକାନରେ ଯାଇ ସାମଗ୍ରୀ ନଷ୍ଟ କରୁଛହନ୍ତି। ଦୈନିକ ବଜାରରୁ ପରିବା କିଣି ନେଉଥିବା ଗ୍ରାହକମାନଙ୍କୁ ଠେଲି ପରିବା ଖାଇ ଯାଉଛନ୍ତି। ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ବୁଲା ଗୋରୁ ମାନେ ରହୁ ଥିବାରୁ ଟ୍ରାଫିକ ସମସ୍ୟା ବଢୁଛି । ଏପରିକି ଛୋଟ ଛୋଟ ଦୁର୍ଘଟଣା ମଧ୍ୟ ଘଟୁଛି। ସ୍କୁଲ ପିଲାମାନେ ଭୟଭୀତ ହୋଇ ବିପଦ ପୂର୍ଣ୍ଣ ଭାବରେ ପ୍ରତିଦିନ ଏହି ଛକ ରାସ୍ତାଦେଇ ଯାତାୟାତ କରୁଛନ୍ତି ।

ସମ୍ବନ୍ଧିତ ଖବର