କରୋନା ବିଗାଡୁଛି ସାମାଜିକ ସନ୍ତୁଳନ, ବାହାରୁ ଆସିଥିବା ଲୋକଙ୍କୁ ସନ୍ଦେହୀ ନଜର

ଗାଁରେ ପୁରାଇବାକୁ କୁନ୍ଥକୁନ୍ଥ ହେଉଛନ୍ତି ଗ୍ରାମବାସୀ, ଗାଁକୁ ଫେରି ହୀନସ୍ତା ହେଉଛନ୍ତି ଦାଦନ  

କୋରାପୁଟ: କରୋନାକୁ ନେଇ ଏବେ ସବୁଠି ଭୟର ବାତାବରଣ। ବାହାରୁ ଯିଏ ଆସୁଛି,ଏଇ ମାରାତ୍ମକ କରୋନା ଭାଇରସ ନେଇ ଆସୁଛି ବୋଲି ଏବେ ସବୁଆଡେ ପ୍ରଚାର। ଫଳରେ ବାହାରୁ ଆସୁଥିବା ଲୋକଙ୍କୁ ଲୋକେ ଭିନ୍ନ ନଜରରେ ଦେଖୁଛନ୍ତି। ବିଶେଷକରି କୋରାପୁଟ ପରି ପଛୁଆ ଜିଲ୍ଲାରେ ଲୋକେ କିଛି ବୁଝିବା ଆଗରୁ ବାହାର ରାଜ୍ୟରୁ ଘରକୁ ଫେରିଥିବା ଲୋକଙ୍କୁ  ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କରି ଦେଇଛନ୍ତି। ଏହା ଫଳରେ ଗାଁ ଗଣ୍ଡା ସାମାଜିକ ସନ୍ତୁଳନ ବିଗିଡିବାରେ ଲାଗିଛି। ଯେଉଁ ଲୋକଙ୍କୁ ଆଗରୁ ଭାଇ, ଦାଦା କହି ଗ୍ରାମବାସୀ କୁଣ୍ଢାଇ ପକାଉଥିଲେ, ଏବେ ସେମାନଙ୍କୁ ଗାଁରେ ପଶିବାକୁ ବାରଣ କରି ଦେଉଛନ୍ତି। ଅପରପକ୍ଷରେ ବାହାରୁ ଆସିଥିବା ଆମ ନିଜ ଲୋକଙ୍କ ପ୍ରତି ଏମିତି ବ୍ୟବହାର ନ କରିବାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି। ବରଂ ସେମାନଙ୍କୁ ଏକାନ୍ତବାସରେ ରହିବାର ସୁଯୋଗ ଦେବା ସହ ତାଙ୍କ ସହ କେହି ସିଧାସଳଖ ନ ମିଶିବାକୁ ପରାମର୍ଶ ଦେଇଛି।

କୋରାପୁଟ ଜିଲ୍ଲାର ଶହ ଶହ ଗାଁରୁ ହଜାର ହଜାର ଲୋକ ବାହାର ରାଜ୍ୟରେ ଦାଦନ ଭାବେ କାମ କରୁଥିଲେ। ଏହା ବ୍ୟତୀତ ଏଠାରୁ କିଛି ଛାତ୍ରଛାତ୍ରୀ ବିଦେଶରେ ପଢୁଥିଲାବେଳେ କିଛି ଚାକିରି କରୁଥିଲେ। ବାହାର ରାଜ୍ୟରେ ମଧ୍ୟ ଚାକିରି କରିବା ସଂଖ୍ୟା କମ ନ ଥିଲା। କିଛି ଲୋକ ତ ବର୍ଷ ବର୍ଷ ଧରି ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ ଆଦି ରାଜ୍ୟରେ କାମ କରି ଆସୁଛନ୍ତି। କରୋନା ଭାଇରସ ବ୍ୟାପିବା ପରେ ଏବେ ଏହି ଲୋକମାନେ ସବୁ ଘର ମୁହାଁ ହୋଇ ଆସୁଛନ୍ତି। କିଛି ଦିନ ‌ହେଲା ଏହି ଲୋକମାନେ ଗାଁରେ ପହଞ୍ଚିଛନ୍ତି। କୁନ୍ଦୁରାରୁ କୋଟପାଡ, ବୋରିଗୁମ୍ମାରୁ ବୈପାରୀଗୁଡା, ନାରାୟଣପାଟଣାରୁ ନନ୍ଦପୁର ପ୍ରାୟ ସବୁ ବ୍ଲକ ଅଂଚଳରେ ଏମିତି ଚିତ୍ର ଦେଖିବାକୁ ମିଳିଛି। ବାହାରୁ କାମ ଧନ୍ଧା ଛାଡି ଜୀବନ ବିକଳରେ ଘରକୁ ପଳାଇ ଆସିଛନ୍ତି। ସରକାରୀ ହିସାବ ଅନୁସାରେ ୨୩୦୦ରୁ ଅଧିକ ଲୋକ ଏ ଭିତରେ ଜିଲ୍ଲାକୁ ଫେରିଛନ୍ତି। ଏମାନଙ୍କ ଭିତରୁ ବିଦେଶରୁ ଆସିଥିବା ଲୋକ ମଧ୍ୟ ରହିଛନ୍ତି। ତେବେ ଏମାନେ ଗାଁକୁ ଆସିବା ପରେ ବଡ ଅଜବ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କୁ ଦେଖି ଘର ଲୋକେ ସିନା ଖୁସି ହେଉଛନ୍ତି, ହେଲେ ଗାଁ ଲୋକେ ନାକ ଟେକୁଛନ୍ତି। ଏମିତି ଅବେଳରେ କାହିଁକି ଆସିଲ ବୋଲି କହି ଗୁରୁଗୁରୁ ହେଉଛନ୍ତି। ଏପରିକି ଏମାନଙ୍କ ଦେହରେ କରୋନା ଭାଇରସ ଥିବା କହି କିଛି ସ୍ଥାନରେ ଗାଁରେ ଭର୍ତ୍ତି କରି ଦେଉ ନାହାନ୍ତି।

ଏଥିନେଇ ପୁଲିସ ଓ ପ୍ରଶାସନକୁ ଖବର ଦେବା ସହ ଏମାନଙ୍କୁ ଗାଁରେ ନ ରଖିବା ପାଇଁ ଦାବି କରୁଛନ୍ତି। ଅପରପକ୍ଷରେ ପ୍ରଶାସନ ପକ୍ଷରୁ ସେମାନଙ୍କ ସ୍ବାସ୍ଥ୍ୟ ପରିକ୍ଷା କରାଯାଇ ନିଜ ଘରେ ଏକାନ୍ତବାସରେ ରହିବାକୁ ପରାମର୍ଶ ଦେଇଛି। ‌ଯାହାଙ୍କ ଦେହରେ କିଛି ଲକ୍ଷଣ ରହିଛି, ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ତଥାପି ଏହା ଗ୍ରାମବାସୀଙ୍କ ମନକୁ ପାଉନି। ବାହାରୁ ଆସିଥିବା ଏହି ଲୋକଙ୍କୁ ଗାଁରୁ ନେଇ ବାହାରେ ରଖିବାକୁ ଜିଦ କରୁଛନ୍ତି। ଏପରିକି କିଛି ସ୍ଥାନରେ ବାହାରୁ ଆସିଥିବା ଲୋକଙ୍କୁ ଗାଁରେ ପଶିବାକୁ ଦେଉ ନାହାନ୍ତି। ବାହାରୁ ଫେରିଥିବା ଲୋକଙ୍କ ପରିବାର କାକୁତି ମିନତୀ ହେଲେ ବି କେହି ଶୁଣୁ ନାହାନ୍ତି। କରୋନା ନେଇ ଗ୍ରାମବାସୀଙ୍କ ମନରେ ଥିବା ଭୟ ସ୍ଥିତିକୁ ଅଧିକ ସଙ୍ଗୀନ କରୁଛି। ସେମାନ‌େ ବାହାରୁ ଆସିଥିବା ଆଗନ୍ତୁକଙ୍କୁ ଏକ ଖରାପ ନଜରରେ ‌ଦେଖୁଛନ୍ତି।

କୋରାପୁଟ ଜିଲ୍ଲାର ଗାଁ ଗାଁରେ ଏମିତି ସ୍ଥିତି ହୋଇଥିଲାବେଳେ ଏହା ଭାଇଚାରା ନଷ୍ଟ କରୁଛି। ଏପରିକି  କିଛି ସ୍ଥାନରେ ସାମାଜିକ ସନ୍ତୁଳନ ବିଗିଡିବାରେ ଲାଗିଛି। ଆଗରୁ ଯେଉଁ ଗାଁରେ ସମସ୍ତେ ମିଳିମିଶି ଚଳୁଥିଲେ, ଏବେ ସେଠା‌ରେ କିଛି ପରିବାରକୁ ଏକ ଘରକିଆ କରି ରଖାଯାଇଛି। ଏକ ପ୍ରକାର ବାସନ୍ଦ ପରି ଜୀବନ କାଟୁଛନ୍ତି ଏମିତି ହଜାର ହଜାର ପରିବାର। ତେବେ ସେମାନଙ୍କ ଏକାନ୍ତବାସ ସମୟ ଶେଷ ହୋଇଗଲେ ସବୁ କିଛି ସ୍ବାଭାବିକ ହୋଇଯିବ ବୋଲି ଆଶା କରାଯାଉଛି। ଏଥିନେଇ ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ ଖବର ରହିଛି। ବାହାରୁ ଆସିଥିବା ଲୋକଙ୍କୁ ସ‌ନ୍ଦେହ ନଜରରେ ନ ଦେଖି ସେମାନେ କେମିତି ଏକାନ୍ତବାସରେ ରହିବେ ସେ ଦିଗରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ନିଜ ଲୋକଙ୍କୁ ନିଜ ନଜରରେ ଦେଖିବାକୁ କୁହାଯାଇଛି। କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ, ବାହାରୁ ଆସୁଥିବା ‌ସବୁ ଲୋକ ଏହି କରୋନା ଭାଇରସ ଦ୍ବାରା ବୋଲି ଆକ୍ରାନ୍ତ ବୋଲି ଭାବିବା ଠିକ ନୁହେଁ। ସେମାନେ ଆମ  ଲୋକ, ଏବେ ଅସୁବିଧା ପଡିବାରୁ ଆସିଛନ୍ତି। ତେଣୁ ସେମାନଙ୍କ ପ୍ରତି ସୌହାର୍ଦ୍ଦ୍ୟ ମନୋଭାବ ପୋଷଣ କରିବା ଦରକାର। ତେବେ ବାହାରୁ ଆସିବା ପରେ ୧୪ ଦିନ ନିଜ ଘରେ ଏକାନ୍ତବାସରେ ରହିବା ନିୟମ କଡାକଡି ପାଳନ କରିବା ଆବଶ୍ୟକ। ଏ ଦିଗରେ ସମସ୍ତେ ସହଯୋଗ କରିବା ଦରକାର ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର