କଟକରୁ ନିଖୋଜ ନର୍ସଙ୍କୁ ହତ୍ୟା, ଜଗତସିଂହପୁରରେ ଅଖା ଭିତରୁ ଗଳିତ ମୃତଦେହ ଉଦ୍ଧାର

ଜଗତସିଂହପୁର: ଦୀର୍ଘ ଏକ ସପ୍ତାହ ଯାଏଁ ନିଖୋଜ ରହିବା ପରେ ମଙ୍ଗଳବାର ନିଖୋଜ ନର୍ସଙ୍କ ଗଳିତ ମୃତଦେହ ମିଳିଛି। ଜଗତସିଂହପୁର ଜିଲ୍ଲାର ବିଲୁଆଖାଇ ନଦୀକୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଅଞ୍ଚଳର ନିହାରୀକା ପାତ୍ର ଚଳିତ ମାସ ୯ ତାରିଖରେ ନିଖୋଜ ଥିଲେ। ଆଜି ନଦୀକୂଳରେ ଜଣେ ଯୁବତୀଙ୍କର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକେ ପୁଲିସକୁ ସୂଚନା ଦେଇଥିଲେ।

ପରିବାର ଲୋକେ ଆସି ନିହାରୀକାଙ୍କ ମୃତଦେହ ଚିହ୍ନିଛନ୍ତି। ନିହାରୀକା କଟକର ଏକ ନର୍ସିଂହୋମ୍‌ରେ କାମ କରୁଥିଲେ। ସେ ନିଖୋଜ ହେବା ପରେ ପରିବାର ଲୋକେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ନିହାରୀକା ଜଣେ ଯୁବକଙ୍କୁ ଭଲ ପାଉଥିଲା ବୋଲି ପରିବାର ଲୋକେ କହିଛନ୍ତି। ତେଣୁ ନିହାରୀକାର ପୁରୁଷ ବନ୍ଧୁଙ୍କ ଉପରେ ସନ୍ଦେହ ହେଉଛି। ମୃତଦେହ ପୋଷ୍ଟମର୍ଟମ ହେବା ପରେ ପ୍ରକୃତ କାରଣ ଜଣାପଡ଼ିବ।

ମୃତଦେହ ଜବତ ନେଇ ଜଗତସିଂହପୁର ଏଏସପି ବିଶ୍ୱନାଥ ମିଶ୍ର କହିଛନ୍ତି, ଏକ ଘରୋଇ ନର୍ସଂହୋମରେ ନିହାରୀକା ଜଣେ ପାରାମେଡିକାଲ ଷ୍ଟାଫ୍‌ ଥିଲେ। ସେ ୯ତାରିଖରୁ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା। ଅଖା ଭିତରୁ ମୃତଦେହ ମିଳିବା ପରେ ମୃତ ନିହାରୀକାଙ୍କ ମା’ ଏବଂ ତାଙ୍କ ସମ୍ପର୍କୀୟ ଶବ ଚିହ୍ନଟ କରିଛନ୍ତି। ପୁଲିସ ତଦନ୍ତ କରୁଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର