ମହାନଦୀରେ ନାବାଳିକା ବୁଡ଼ିବା ଘଟଣା: ୩ ଦିନ ପରେ ପିଙ୍କିର ମୃତଦେହ ନୂଆଁ ବ୍ରିଜ ନିକଟରୁ ଉଦ୍ଧାର

ସମ୍ବଲପୁର: ମହାନଦୀରେ ତିନି ଦିନ ପୂର୍ବରୁ ବୁଡ଼ି ଯାଇଥିବା ନାବାଳିକା ପିଙ୍କିର ମୃତଦେହ ବୁଧବାର ଅପରାହ୍ଣରେ ମିଳିଛି। ସମ୍ବଲପୁରର ଚାଉଁରପୁର ନିକଟରେ ନିର୍ମିତ ନୂଆ ବ୍ରିଜ୍‌ ନିକଟରୁ ପିଙ୍କି ଶର୍ମାର ମୃତଦେହକୁ ପୁଲିସ ଉଦ୍ଧାର କରିଛି। ବ୍ରିଜ୍‌ ନିକଟରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପିଙ୍କିର ମୃତଦେହ ପୋଷ୍ଟମର୍ଟମ ପାଇଁ ପୁଲିସ ମେଡିକାଲକୁ ପଠାଇଛି।

ଦୁର୍ଗା ନବମୀ ଦିନ ପିଙ୍କି ନିଜର ୫ ଜଣ ସାଙ୍ଗଙ୍କ ସହିତ କ୍ଷେତରାଜପୁର ଥାନା ଅନ୍ତର୍ଗତ ବଡ଼ବଜାରସ୍ଥିତ ସଡ଼କଘାଟକୁ ଗାଧୋଇବାକୁ ଯାଇଥିଲା। ଗାଧୋଇଥିବା ସମୟରେ ଶ୍ରୁତି ନାମକ ଏକ ଝିଅର ଗୋଡ଼ ଖସିଯାଇଥିଲା। ଶ୍ରୁତିକୁ ବଞ୍ଚାଇବା ପାଇଁ ଜଣକ ପରେ ଜଣେ ଝିଅ ପାଣିକୁ ଡେଇଁଥିଲେ। ଏମାନେ ସମସ୍ତେ ପାଣି ଭିତରେ ଥିବା ଏକ ସ୍ଥଳ ଭାଗରେ ପହଞ୍ଚି ଥିଲେ। ପରେ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌ର କର୍ମଚାରୀଙ୍କ ଦ୍ୱାରା ୫ ଜଣ ଝିଅ ଉଦ୍ଧାର ହୋଇଥିଲେ କିନ୍ତୁ ପିଙ୍କିର କୌଣସି ପତ୍ତା ମିଳି ନ ଥିଲା।

ଅଗ୍ନିଶମ ଓ ଓଡ୍ରାଫ ଟିମ୍‌ ତିନି ଦିନ ହେବ ପିଙ୍କିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଆଜି ଅପରାହ୍ଣରେ ସ୍ଥାନୀୟ ଲୋକେ ଏକ ମୃତଦେହ ଘଟଣାସ୍ଥଳରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଭାସୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ବଡ଼ବଜାର ଅଞ୍ଚଳର ରାଜନାଥ ଶର୍ମାଙ୍କ ଝିଅ ପିଙ୍କି ପଠାଣପଡ଼ାସ୍ଥିତ ହିନ୍ଦି ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ଥିଲା।

ସମ୍ବନ୍ଧିତ ଖବର