ବୁଢ଼ାବଳଙ୍ଗରେ ନିଖୋଜ ଯୁବକଙ୍କ ଶବ ଉଦ୍ଧାର

ବାରିପଦା: ଅମ୍ଫାନ୍ ପରବର୍ତ୍ତୀ ସମୟରେ ବୁଢ଼ାବଳଙ୍ଗର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ପାଇକବସା ପଞ୍ଚାୟତ ଅନ୍ତର୍ଗତ ପାଣ୍ଡୁରା ଘାଟ ନିକଟରୁ ଉଦ୍ଧାର କରିଛି। ବାରିପଦା ସଦର ଥାନା ଅନ୍ତର୍ଗତ ଝିଙ୍କପାଳରେ ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ପୋଡାଅସ୍ତିଆ ଗ୍ରାମର ଅମିତ ସିଂ(୩୫) ଗତ ଦୁଇଦିନ ତଳେ ବୁଢ଼ାବଳଙ୍ଗ ନଦୀର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।

ଆଜି ଅମିତଙ୍କ ମୃତଦେହ ଭାସୁଥିବାର ଦେଖି ବାରିପଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ଅଧିକାରୀ ଅଶୋକ ବେହେରାଙ୍କ ନେତୃତ୍ବରେ ଅମିତଙ୍କ ଶବକୁ ପାଣିରୁ ଉଦ୍ଧାର କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ମୃତକ ଜଣଙ୍କ କୌଣସି କାମକୁ ନେଇ ନଦୀ ଆରପାରିରେ ଥିବା ମହୁଲିଆ ଗ୍ରାମକୁ ଯାଉଥିବା ସମୟରେ ବୁଢ଼ାବଳଙ୍ଗର ପ୍ରଖର ସ୍ରୋତରେ ଭାସିଯାଇଥିବା ଅନୁମାନ କରାଯାଉଛି।

ବାରିପଦା ଅଗ୍ନିଶମ ବାହିନୀ ଦୁଇ ଦୁଇ ଥର ନଦୀ ଜଳରେ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ। ଆଜି ଅମିତଙ୍କ ଶବ ଭାସିଥିଲା। ଅମ୍ଫାନ୍ ବାତ୍ୟା କାରଣରୁ ଜିଲ୍ଲାରେ ହୋଇଥିବା ବର୍ଷା କାରଣରୁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ନଦୀ ପାର ହେଉଥିବା ବେଳେ ଅସାବଧାନତାବଶତ ଅମିତ ଭାସିଯାଇଥିବା ଜଣାପଡ଼ିଛି। ଏ ନେଇ ବାରିପଦା ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର