ଏମିତି ବି ଆସେ ମୃତ୍ୟୁ: ଭତ୍ତାଦେବାକୁ ଯାଇଥିଲେ, ହରିଶ୍ଚନ୍ଦ୍ର ସହାୟତା ଦେଇ ଫେରିଲେ ସରପଞ୍ଚ

କେନ୍ଦ୍ରାପଡ଼ା: ମୃତ୍ୟୁ କେତେବେଳେ ଏବଂ କେମିତି ଆସିଥାଏ, ତାହା ବ୍ୟକ୍ତି ଜାଣି ନଥାଏ। ମଣିଷର ମୃତ୍ୟୁ ନିୟତି ହାତର ଖେଳ ବୋଲି ଶୁକ୍ରବାର ପ୍ରମାଣିତ ହୋଇଛି। କେନ୍ଦ୍ରାପଡା ବ୍ଳକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତ ଅନ୍ତର୍ଗତ ସିଙ୍ଗିରୀ ଗ୍ରାମର ପ୍ରେମଲତା ପରିଡା କିଛି ଦିନ ଅସୁସ୍ଥ ଥିବା ଖବରପାଇ ଭାଗବତପୁର ସରପଞ୍ଚ ଚିତ୍ତରଞ୍ଜନ ବେହେରା ତାଙ୍କ ଘରକୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବାକୁ ଯାଇଥିଲେ। ସାଙ୍ଗରେ ପିଇଓଙ୍କୁ ଧରି ପ୍ରେମଲତାଙ୍କ ଘରେ ପହଞ୍ଚି ଭତ୍ତା ପ୍ରଦାନ କରିବା ପରେ ବାହାରେ ଠିଆ ହୋଇ ପରିବାର ଲୋକଙ୍କ ସହ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଥିଲେ।

ଏହି ସମୟରେ ହଠାତ୍‌ ଘରଭିତରୁ ମା’ ପ୍ରେମଲତା ଆଉ କଥା ହେଉ ନାହାନ୍ତି ବୋଲି ତାଙ୍କ ବୋହୂ ପାଟି କରିଥିଲେ। ସମସ୍ତେ ଘରଭିତରକୁ ଝପଟି ଯାଇ ଦେଖିଲା ବେଳକୁ ତାଙ୍କର ଦେହାନ୍ତ ହୋଇଯାଇଛି। ସରପଞ୍ଚ ଶ୍ରୀ ବେହେରା ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶେଷକୃତ୍ୟ ସଂପନ୍ନ ପାଇଁ ହରିଶ୍ଚନ୍ଦ୍ର ସହାୟତା ପ୍ରଦାନ କରିଥିଲେ। ଏହି ଘଟଣା ଭଗବତପୁର ପଂଚାୟତ ଅଂଚଳରେ ଚର୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର