ଗର୍ଭପାତ ବଟିକା ଖାଇ ପେଟରେ ଛିଦ୍ର ଘଟଣା:ପ୍ରେମ ପ୍ରତାରକ ଗିରଫ

ପୀଡ଼ିତା ବୁର୍ଲା ମେଡିକାଲରେ ଭର୍ତ୍ତି

ଦେବଗଡ଼,: ପ୍ରେମିକ ଦ୍ୱାରା ଦୁଷ୍କର୍ମ ଓ ପ୍ରତାରିତ ହୋଇ ଶେଷରେ ଗର୍ଭପାତ ପାଇଁ ପ୍ରେମିକ ଦେଇଥିବା  ବଟିକା ଖାଇ ଗୁରୁତର ହୋଇଥିବା ଯୁବତୀଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ପୀଡ଼ିତାଙ୍କ ପିତା ବୁଧବାର ଏନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ପ୍ରେମିକ ଟୁସୁଳା ଗ୍ରାମର ମାଧବ କିସାନକୁ ଗୁରୁବାର ଗିରଫ କରିଛି। ଏନେଇ ଅଧିକ ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତର ଶୁକ୍ରବାର ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ପୁଲିସ ଓ ରୋପ ଚାଇଲଡ ହେଲପଲାଇନର ପକ୍ଷରୁ ଉକ୍ତ ପୀଡିତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ରେଡକ୍ରସ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସୂଚନା ଦେଇଛନ୍ତି।

ପ୍ରାୟ ଏକ ବର୍ଷ ପୂର୍ବେ ବାରକୋଟ ବ୍ଲକ କଣ୍ଟାପାଲି ପଞ୍ଚାୟତ ଅଂଚଳର ଜଣେ ନାବାଳିକାଙ୍କୁ ନିକଟସ୍ଥ ଟୁସୁଳା ଗ୍ରାମର ମାଧବ କିସାନ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା। ସେହିଦିନଠାରୁ ସେ ଗର୍ଭବତୀ ହୋଇଥିଲେ। ଯୁବକ ଜଣକ ବିବାହ କରିବା ପରିବର୍ତେ ପୀଡିତାଙ୍କୁ ଗର୍ଭପାତ ଓଷଧ ଖାଇବାକୁ ପରାମର୍ଶ ଦେଇଥିଲା। ପୀଡିତା ଏହି ଓଷଧ ଖାଇବା ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ଝିଅ କୌଣସି ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ହୋଇଥିବା ସନ୍ଦେହ କରି ନିକଟସ୍ଥ କେତେକ ଓଷଧ ଦୋକାନୀ ଓ କ୍ୱାକ୍‌ଙ୍କ ଦ୍ୱାରା ଚିକିତ୍ସା କରାଇଥିଲେ। ତଥାପି ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ପ୍ରଥମେ ଦେବଗଡ ଓ ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରେ ୩/୪ ଦିନ ଚିକିତ୍ସା କରିବା ପରେ ସ୍ୱାସ୍ଥ୍ୟରେ କୌଣସି ପରିବର୍ତନ ନହେବାରୁ ପରିବାର ଲୋକେ ଘରକୁ ଫେରାଇ ଅଣିଥିଲେ। ପରେ ପେଟରେ ସାଂଘାତିକ ଯନ୍ତ୍ରଣା ହେବାସହ ନାଭି ଉପରେ ଏକ ଛିଦ୍ର ସୃଷ୍ଟି ହୋଇଥିଲା। ସେହିଦିନଠାରୁ ପୀଡ଼ିତା ଜଣକ କୌଣସି ପ୍ରକାର ଖାଦ୍ୟ କିମ୍ବା ପାନୀୟ ଗ୍ରହଣ କଲେ ଏହା ଉକ୍ତ ଛିଦ୍ର ଦେଇ ବାହାରକୁ ବାହାରି ପଡୁଛି। ସେ ଆଉ ବସିବା କିମ୍ବା ଉଠିବା ଅଦୌ ସମ୍ଭବ ହେଉନାହିଁ। ଅପରପକ୍ଷରେ ପରିବାର ପକ୍ଷରୁ ଅର୍ଥାଭାବ କାରଣରୁ ଝିଅର ଚିକିତ୍ସାରେ ମଧ୍ୟ ବାଧକ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର