ବିଷାକ୍ତ ଛେନା ଖାଇ ୩୦ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଦେବଗଡ଼: ରିଆମାଳ ବ୍ଲକ ଅନ୍ତର୍ଗତ ପଟାଭରିସାହି ଗାଁରେ ବୁଧବାର ଅପରାହ୍ନରେ ବିଷାକ୍ତ ଛେନା ଖାଇ ୩୦ ଜଣ ଲୋକ ଅସୁସ୍ଥ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଛେନା ଖାଇଥିବା ଲୋକଙ୍କର ମୁଣ୍ଡ ବୁଲାଇବା ଓ ବାନ୍ତି ହେବା ପରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ପ୍ରାୟ ୪ରୁ ୫ଟି ପରିବାରର ୩୦ଜଣ ଲୋକ ଏହି ଛେନା ଖାଇଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗ୍ରାମର ମଧୁସୂଦନ ପ୍ରଧାନ ଏକ ଜର୍ସି ଗାଈ ପାଳି ଥିଲେ। ଜର୍ସି ଗାଈଟି ୪ରୁ ୫ ଦିନ ତଳେ ଏକ ବାଛୁରୀ ଜନ୍ମ ଦେଇଥିଲା। ମଧୁସୂଦନ ବାଛୁରୀ ଜନ୍ମ କରିଥିବା ଗାଈର କ୍ଷୀରକୁ ଛିଣ୍ଡାଇ ପଡୋଶୀ ପରିବାରମାନଙ୍କୁ ଛେନା ବାଣ୍ଟିଥିଲେ। ଛେନା ଖାଇବାର ଅଳ୍ପ କିଛି ସମୟ ପରେ ସଂମ୍ପୃକ୍ତ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଥିଲା। ରିପୋର୍ଟ ଲେଖାଯିବା ବେଳକୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କର ସ୍ୱାସ୍ଥ୍ୟ ଠିକ୍‌ ହୋଇ ନଥିଲା।

ସମ୍ବନ୍ଧିତ ଖବର