ଋଣ ନାଁରେ ଠକେଇ, ୨ ଜଣଙ୍କୁ କାବୁ କରି ପୁଲିସ୍‌କୁ ଦେଲେ ମହିଳା

ରେଢ଼ାଖୋଲ: ବିଭିନ୍ନ ବ୍ୟାଙ୍କରୁ ଋଣ କରାଇ ଦେବା ନାଁରେ ମହିଳା ଗୋଷ୍ଠୀକୁ ଠକୁଥିବା ଦୁଇ ଜଣଙ୍କୁ କାବୁ କରି ପୁଲିସ୍‌ ଜିମାରେ ଦିଆଯାଇଛି। ରେଢ଼ାଖୋଲ ପୁଲିସ୍‌ ଏନେଇ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଚନ୍ଦଲି ଗାଁର ସର୍ବେ ସୁନା (୩୫) ଓ ଡୁଙ୍ଗୁରିପାଲି ଥାନା ଲରିଆବାହାଳ ଗାଁର ପ୍ରଫୁଲ୍ଲ ସୁନା (୨୭)କୁ ଗିରଫ କରିଛି। ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଉଭୟେ ରେଢ଼ାଖୋଲ ଥାନା ତେରବେଡ଼ା ଓ ଶିମିଳିପାଳ ଗାଁର ୨୫ରୁ ଅଧିକ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିଲେ। କହୁଥିଲେ ଋଣ ପାଇଁ ସେହି ଟଙ୍କା ପ୍ରୋସେସିଂ ବାବଦରେ ଖର୍ଚ କରାଯିବ। ପରେ ସେମାନେ ଧରାଛୁଅାଁ ଦେଇ ନଥିଲେ। ଶୁକ୍ରବାର ପୁଣି ରେଢ଼ାଖୋଲ ଥାନା ଖଜୁରୀଖମଣ ଗାଁରେ ଋଣ ପାଇଁ ମହିଳାଙ୍କୁ ପ୍ରବର୍ତ୍ତାଉଥିବା ବେଳେ ଏହି ଖବର ତେରବେଡ଼ା ଓ ଶିମିଳିପାଳ ଗାଁରେ ପହଞ୍ଚିଥିଲା। ମହିଳାମାନେ ପୁଲିସ୍‌କୁ ଖବର ଦେବା ସହ ଏତଲା ଦେଲା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର