ଦେବଗଡ଼: ଥାନାଞ୍ଚଳ ସମସ୍ୟାର ସମାଧାନ ପାଇଁ ଦାବି

ଗୃହ ସଚିବଙ୍କୁ ଭେଟିଲେ ପ୍ରତିନିଧି ଦଳ

ଦେବଗଡ଼: ଜିଲ୍ଲାରେ ରହିଥିବା ଥାନାଞ୍ଚଳ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଜିଲ୍ଲାବାସୀ ଦାବି କରିଛନ୍ତି। ଏ ନେଇ ଏକ ପ୍ରତିନିଧି ଦଳ ରାଜ୍ୟ ଗୃହ ସଚିବଙ୍କୁ ଭେଟି ଉପରୋକ୍ତ ବିଷୟରେ ଆଲୋଚନା କରିଥିଲେ। ଅଭିଯୋଗ ଅନୁସାରେ ବାରକୋଟ ବ୍ଲକ ରାଇତାବାହାଳ ପଞ୍ଚାୟତର ଚାରିମଞ୍ଚା, ଗୋଠମଡ଼ା, ରତନପୁର, ଗଣନାଥପୁର, ହରିହରପୁର, ଭଗବତପୁର ଗ୍ରାମର ଲୋକଙ୍କୁ ବର୍ତ୍ତମାନ ସାମାନ୍ୟ ଅଭିଯୋଗଟିଏ ପାଇଁ ବାରକୋଟ, ଦେବଗଡ଼ ଓ ରିଆମାଳ ଥାନା ପାରି ହୋଇ ୧୨୦ରୁ ୧୫୦ କି.ମି ଦୂର କୁଣ୍ଢେଇଗୋଳା ଥାନାକୁ ଯିବାକୁ ପଡୁଛି। ଯେହେତୁ ଉକ୍ତ ଗ୍ରାମଗୁଡ଼ିକ ବାରକୋଟ ବ୍ଲକ୍‌‌େର ଥିଲେ ହେଁ କୁଣ୍ଢେଇଗୋଳା ଥାନା ଅଧୀନରେ ରହିଛନ୍ତି। ତେଣୁ ସେମାନଙ୍କୁ ବାରକୋଟ ଥାନାରେ ସାମିଲ ପାଇଁ ଦାବି ହେଉଛି।
ସେହିପରି ତିଲେଇବଣୀ ବ୍ଲକର ପାର୍ବତୀପୁର, ତିରିବ, ବ୍ରହ୍ମସାଧୁବାହାଳ, ବଡ଼ଛାପଲ, ବାବରାକାନି, ଗିନାହଜା, ଭୁଳକାବାହାଳ ଗ୍ରାମର ଲୋକେ ବି ଅଭିଯୋଗ ପାଇଁ କୁଣ୍ତେଇଗୋଳା ଥାନାକୁ ଯାଇଥାନ୍ତି। ତେଣୁ ସେମାନଙ୍କୁ ଦେବଗଡ଼ ଥାନାରେ ସାମିଲ ପାଇଁ ଗ୍ରାମବାସୀମାନେ ଦାବି କରି ଆସୁଛନ୍ତି। ୩୫ ବର୍ଷରୁ ଅଧିକ ସମୟ ହେଲା ଏହାର ସମଧାନ କରାଯାଇ ନଥିବାରୁ ଲୋକଙ୍କୁ ବହୁ ଅସୁବିଧାର ସହ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ତା’ ସହିତ ଏତେ ଦୂରତା ଯୋଗୁଁ ସେମାନଙ୍କ ପ୍ରାୟତଃ ଓ ଠିକ୍‌ ଭାବେ ନ୍ୟାୟ ମଧ୍ୟ ମିଳୁ ନଥିବା ଅଭିଯୋଗ ହୋଇଛି। ସମସ୍ୟାର ସମାଧାନ ଓ ଲୋକେ ଯେପରି ସୁବିଧାରେ ପୁଲିସ ସହାୟତା ପାଇବେ ସେଥିପାଇଁ ଜିଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଉଥିଲେ ହେଁ ତାହା ଆଜି ବି ସରକାରୀ ନାଲି ଫିତା ତଳେ ପଡ଼ି ରହିଛି। ତେଣୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟାା ନିବେଦିତା ନାୟକ, ରାଜକିଶୋର ନାୟକ, ଜିଲ୍ଲା କୃଷକ ସ˚ଗଠନ ସଭାପତି ପ୍ରସନ୍ନ ପଟେଲ, କିଶୋର ପ୍ରଧାନ ପ୍ରମୁଖ ଗୃହ ବିଭାଗ ସଚିବ ଅସିତ ତ୍ରିପାଠୀ ଓ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଳାଙ୍କୁ ଭେଟି ଆଲୋଚନା କରିଥିଲେ। ଶୀଘ୍ର ସମାଧାନ ପାଇଁ ସଚିବ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର