ପାଚିକା ଓ ସହାୟିକା ମଜଦୁର ସଂଘର ବିକ୍ଷୋଭ

ଦେବଗଡ଼: ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ କାର୍ଯ୍ୟକଳାପ ପ୍ରତିବାଦ ସହ ୫ ଦଫାଦାବି ନେଇ ଶୁକ୍ରବାର ପାଚିକା ଓ ସହାୟିକା ମଜଦୁର ସଂଘ, ଦେବଗଡ଼ ଜିଲ୍ଲା ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବହୁ ସଂଖ୍ୟାରେ କର୍ମୀ ସ୍ଥାନୀୟ ଗୋପାଳଜୀ ମନ୍ଦିରରୁ ବାହାରି ସହରରେ ଶୋଭାଯାତ୍ରା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳୁ ଦାବିପତ୍ର ଦେଇଥିଲେ। ଦାବିଗୁଡ଼ିକ ମଧ୍ୟରେ ସମସ୍ତ ପାଚିକା ଓ ସହାୟିକାଙ୍କୁ ମାସିକ ସର୍ବନିମ୍ନ ୧୦ ହଜାର ଟଙ୍କା ଦରମା, ସରକାରୀ କର୍ମଚାରୀ ମାନ୍ୟତା ସହ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା, ପାଚିକା ଓ ସହାୟିକାଙ୍କ ସ୍ୱତନ୍ତ୍ର ଡ୍ରେସ୍‌ କୋର୍ଡ ବ୍ୟବସ୍ଥା, ସ୍କୁଲ୍‌ଗୁଡ଼ିକର ଗ୍ରୀଷ୍ମ ଛୁଟି ଅବସରରେ ବି ପାରିଶ୍ରମିକ ପ୍ରଦାନ, ଖାଦ୍ୟ ରାନ୍ଧିବା ପାଇଁ ଗ୍ୟାସ୍‌ ସିଲିଣ୍ଡର ଓ ଚୂଲା ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାନେତ୍ରୀ ସୁଭଦ୍ରା ସାହୁ, ସଂପାଦିକା ମାମି ଧିବର, କୋଷାଧ୍ୟକ୍ଷା ସୁଜାତା ହଂସ, ଭାରତୀୟ ମଜଦୁର ସଂଘ ଜିଲ୍ଲା ସଂପାଦକ ଦିଲୀପ ଗଡ଼ନାୟକ, ସଂଘର କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ସାହୁ, ଉପଦେଷ୍ଟା ଶ୍ରୀବତ୍ସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର