ପୂର୍ବତନ ଛାତ୍ରନେତାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର

ଦେବଗଡ଼: ପୂର୍ବତନ ଛାତ୍ରନେତାଙ୍କ ମୃତଦେହ ଦେବଗଡ଼ ଟାଉନ୍‌ ଥାନା ପୁଲିସ ଶୁକ୍ରବାର ସନ୍ଧ୍ୟାରେ ଜବତ କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଟାଉନ ଥାନା ଆଇଆଇସି ଅଜୟ କୁମାର ତିର୍କୀ ପୁଲିସ ଟିମ୍‌ ସହିତ ପୌରାଞ୍ଚଳ ଅନ୍ତର୍ଗତ ଖଡ଼ିଆସାହିରେ ପହଞ୍ଚି ଏସ୍‌ ଶିବାଦୟ(୨୪)ଙ୍କ ମୃତଦେହ ଜବତ କରିଛନ୍ତି। ପୁଲିସ କହିଛି କେଉଁ କାରଣରୁ ଶିବାଦୟଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ି ନାହିଁ। ଏହା ଆତ୍ମହତ୍ୟା ନା ହତ୍ୟା ତଦନ୍ତ ପରେ ଜଣାପଡ଼ିବ।

ପଡ଼ିଶା ଲୋକଙ୍କ କହିବା ଅନୁଯାୟୀ ସେମାନେ ଶିବାଦୟଙ୍କୁ ଗତକାଲି ଠାରୁ ଦେଖି ନଥିଲେ। ତାଙ୍କ ପରିବାର ଲୋକେ ବ୍ୟକ୍ତିଗତ କାମରେ ପୁରୀ ଯାଇଥିବା ବେଳେ ଏଭଳି ଘଟଣା ଦେଖାଯାଇଛି। ଆଜି ସକାଳ ଠାରୁ ଘର ଭିତର ପାଶ୍ୱରୁ କବାଟ ବନ୍ଦ ଥିବା ଦେଖି କିଛି ଲୋକଙ୍କର ସନ୍ଦେହ ହେବାରୁ ପୁଲିସକୁ ସୂଚନା ଦିଆଯାଇଥିଲା। ଶିବାଦୟଙ୍କ ମୃତ୍ୟୁ ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଶିବାଦୟ ଦେବଗଡ଼ କଲେଜର ପୂର୍ବତନ ଛାତ୍ର ନେତା ଥିଲେ। ସେ ୨୦୧୫ରେ ଛାତ୍ର ସଂଘର ସଭାପତି ହୋଇଥିଲେ। ଏତଦ୍‌ ବ୍ୟତୀତ ଯୁବ ବର୍ଗଙ୍କ କାମକାର୍ଯ୍ୟରେ ମଧ୍ୟ ଭାଗ ନେଉଥିଲେ। ଗତ ମାର୍ଚ୍ଚ ୨୭ ଓ ୨୮ରେ ସ୍ଥାନୀୟ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର